ଏହି ଖେଳାଳି ରଣଜୀ ଟ୍ରଫି ଖେଳିବା ବାଧ୍ୟତାମୂଳକ, ଖେଳାଳିଙ୍କ ମନମାନି ଚଳିବ ନାହିଁ: ବିସିସିଆଇ


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ)ର ସଚିବ ଜୟ ଶାହ ସମସ୍ତ କେନ୍ଦ୍ରୀୟ ଅନୁବନ୍ଧ ଭାରତୀୟ ଖେଳାଳିଙ୍କୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ସମସ୍ତ ଅନୁବନ୍ଧିତ ଖେଳାଳିଙ୍କୁ ରଣଜୀ ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ । କୌଣସି ଖେଳାଳିଙ୍କ ମନମାନି ଚଳିବ ନାହିଁ । ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ ପୂର୍ବରୁ ରାଜକୋଟରେ ଏକ କାର୍ଯ୍ୟକ୍ରମରେ ବିସିସିଆଇ ସଚିବ ଜୟ ଶାହ ଏହା କହିଛନ୍ତି ।

ଜୟ ଶାହ କହିଛନ୍ତି, ଯଦି ଆପଣଙ୍କ ମୁଖ୍ୟ କୋଚ୍ ଚୟନକର୍ତା, ଆପଣଙ୍କ କୋଚ୍ ଓ ଆପଣଙ୍କ ଅଧିନାୟକ କହୁଛନ୍ତି ରେଡ୍ ବଲ୍ କ୍‌ିକେଟ୍ ଖେଳିବାକୁ ତେବେ ଆପଣଙ୍କୁ ଘରୋଇ ରେଡ୍ ବଲ୍ କ୍ରିକେଟ୍ ଅର୍ଥାତ ରଣଜୀ ମ୍ୟାଚ୍ ଖେଳିବାକୁ ପଡିବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ଟେଷ୍ଟ ସିରିଜ ସମୟରେ ଅନେକ ଖେଳାଳି ଆହତ ହୋଇଛନ୍ତି ଏବଂ କିଛି ଖେଳାଳି ଉପଲବ୍ଧ ନ ହେବା କାରଣରୁ ଦଳ ବହୁତ ପ୍ରଭାବିତ ହୋଇଛି ।

ଏହା ମଧ୍ୟ ଖବର ଆସିଥିଲା ଯେ, ଖେଳାଳି ରଣଜୀ ଟ୍ରଫି ଖେଳିବାକୁ ଚାହୁଁ ନାହାନ୍ତି ଓ ଆଇପିଏଲ୍ ପ୍ରସ୍ତୁତିରେ ଲାଗିଛନ୍ତି । ଶାହ ସ୍ପଷ୍ଟ କରିଛନ୍ତି, ସମସ୍ତ ଯୁବ ଖେଳାଳି ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ଗାଇଡଲାଇନ୍ ଅନୁସାରେ ଘରୋଇ କ୍ରିକେଟ୍ ଖେଳିବା ଜରୁରୀ । ଆମକୁ ଏନସିଏଠୁ ଯେଉଁ ପରାମର୍ଶ ମିଳୁଛି ତାହା କରିବାକୁ ଚେଷ୍ଟା କରୁଛୁ । ଯଦି କୌଣସି ଖେଳାଳିଙ୍କ ଶରୀର ଧଳା ବଲ୍ ଓ ଲାଲ ବଲ୍ ଦୁଇ ଫର୍ମାଟର କ୍ରିକେଟ୍ ଖେଳିବାକୁ ସକ୍ଷମ ନୁହେଁ ତେବେ ଆମେ ତାଙ୍କୁ ବାଧ୍ୟ କରିବୁ ନାହିଁ । ହେଲେ ଯେଉଁ ଯୁବ ଖେଳାଳି ଫିଟ୍ ଥାଆନ୍ତି ତେବେ ସେମାନଙ୍କୁ ରଣଜୀ ଖେଳିବାକୁ ପଡିବ ।

ସୂଚନାଯୋଗ୍ୟ, ଇଶାନ କିଶନ ଫିଟ୍ ଥାଇ ବି ରଣଜୀ ଟ୍ରଫି ଖେଳୁ ନାହାନ୍ତି । ସେ ଗତ ଦକ୍ଷିଣ ଆଫ୍ରିକା ସିରିଜରୁ ବିଶ୍ରାମ ନେଇ ପରିବାର ସହିତ ସମୟ ବିତାଇଥିଲେ । ଏପରିକି ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ବି ଖେଳି ନ ଥିଲେ । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କହିଥିଲେ ଯେ, ଯେଉଁ ଖେଳାଳି ଫିଟ୍ ଅଛନ୍ତି ସେମାନଙ୍କୁ ଦଳକୁ ଫେରିବାକୁ ହେଲେ କିଛି ଘରୋଇ କ୍ରିକେଟ୍ ଖେଳିବାକୁ ପଡିବ । ତଥାପି ଇଶାନ କିଶନ ରଣଜୀ ନ ଖେଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଆଇପିଏଲ୍ ପାଇଁ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିସିସିଆଇ କ୍ଷୁବ୍ଧ ପ୍ରକାଶ କରିଛି ।