ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ)ର ସଚିବ ଜୟ ଶାହ ଶୁକ୍ରବାର ପ୍ରମୁଖ ଖେଳାଳିଙ୍କୁ ଚିଠି ଲେଖି ଚେତାବନୀ ଦେଇଛନ୍ତି । ସେ କେନ୍ଦ୍ରୀୟ ଅନୁବନ୍ଧିତ ଓ ଇଣ୍ଡିଆ ଏ ଟିମକୁ ଚିଠି ଲେଖି କହିଛନ୍ତି, ଜାତୀୟ ଦଳରେ ଚୟନ ପାଇଁ ଘରୋଇ କ୍ରିକେଟ୍ ହେଉଛି ପ୍ରମୁଖ ମାନଦଣ୍ଡ । ଘରୋଇ କ୍ରିକେଟ୍ ନ ଖେଳିଲେ ଏହା ଗମ୍ଭୀର ପ୍ରଭାବ ପକାଇବ । ବିସିସିଆଇ ନିଜ ଚିଠିରେ କହିଛି, ଘରୋଇ ଲାଲ ବଲ୍ କ୍ରିକେଟ୍ ଉପରେ ଆଇପିଏଲକୁ ପ୍ରାଥମିକତା ଦେବା ଖେଳାଳିଙ୍କ ପାଇଁ ଚିନ୍ତାର ବିଷୟ ।
ଇଣ୍ଡିଆନ୍ସ ଏକ୍ସପ୍ରେସ୍ ଅନୁଯାୟୀ, ଜୟ ଶାହ ଲେଖିଛନ୍ତି ନିକଟରେ ଘରୋଇ କ୍ରିକେଟ୍ ନ ଖେଳି ଆଇପିଏଲକୁ ପ୍ରାଥମିକତା ଦେବା ଏକ ଟ୍ରେଣ୍ଡ ଦେଖିବାକୁ ମିଳିଛି । କିଛି ଖେଳାଳି ଘରୋଇ କ୍ରିକେଟ୍ ଉପରେ ଆଇପିଏଲକୁ ପ୍ରାଥମିକତା ଦେବା ଦେଖିବାକୁ ମିଳିଛି, ଯାହା ଆମେ କେବେ ଆଶା କରିନ ଥିଲୁ । ଘରୋଇ କ୍ରିକେଟ୍ ଏମିତି ଏକ ଆଧାର ରହିଛି ଯାହା ଉପରେ ଭାରତୀୟ କ୍ରିକେଟ୍ ଛିଡା ହୋଇ ରହିଛି । କ୍ରିକେଟ୍ ପ୍ରତି ଆମର ଦୃଷ୍ଟିକୋଣରେ ଏହାର ମହତ୍ୱ କେବେ କମି ନାହିଁ କି କମିବ ନାହିଁ ।
ଶାହ କହିଛନ୍ତି ଘରୋଇ କ୍ରିକେଟ୍ ଭାରତୀୟ କ୍ରିକେଟର ମେରୁଦଣ୍ଡ । ଘରୋଇ କ୍ରିକେଟରେ ଯଦି ଏମିତି ହେବ ତାହା ବୋର୍ଡ ପାଇଁ ଚିନ୍ତାର ବିଷୟ । ଆଇପିଏଲ ବୋର୍ଡ ପାଇଁ ଏକ ସଂପତି, ମାତ୍ର ଖେଳାଳିଙ୍କୁ ଯଦି ଭାରତୀୟ ଦଳରେ ଖେଳିବାର ଅଛି ତେବେ ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟକୁ ପ୍ରାଥମିକତା ଦେବାକୁ ପଡିବ । କେବଳ ଇଶାନ କିଶନ ନୁହେଁ ସମସ୍ତ ଖେଳାଳିଙ୍କ ପାଇଁ ଏହା ଏକ ଚେତାବନୀ । ଦୀପକ ଚହର ମଧ୍ୟ ଆଇପିଏଲ୍ ପ୍ରସ୍ତୁତିରେ ଜୁଟି ଯାଇଛନ୍ତି ।