ରାଜକୋଟ: ଦ୍ୱିତୀୟ ଦିନରେ ଦୃଢ ବ୍ୟାଟିଂ କରିିଥିବା ଇଂଲଣ୍ଡ ତୃତୀୟ ଦିନରେ ଧରାଶାୟୀ ହୋଇଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ମ୍ୟାଚରେ ପଛରେ ଥିବା ଭାରତ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ମ୍ୟାଚକୁ ପ୍ରତ୍ୟାବର୍ତନ କରିଛି । ତୃତୀୟ ଦିନର ଦ୍ୱିତୀୟ ସେସନରେ ଇଂଲଣ୍ଡ ୩୧୯ ରନରେ ଅଲଆଉଟ୍ ହୋଇଛି । ବେନ ଡକେଟ୍ ୧୫୩ ରନର ଧୂଆଁଧାର ଇନିଂସ ଖେଳିଛନ୍ତି । ବେନ ଷ୍ଟୋକ୍ସ ୪୧ ଓ ଓଲି ପପ୍ ୩୯ ରନ କରିଛନ୍ତି । ମହମ୍ମଦ ସିରାଜ ୪ ୱିକେଟ୍ ନେଇ ଇଂଲଣ୍ଡ ଇନିଂସର ଅନ୍ତ ଘଟାଇଛନ୍ତି । ଭାରତ ପ୍ରଥମ ଇନିଂସରେ ୧୨୬ ରନରେ ଅଗ୍ରଣୀ ହାସଲ କରିଛି । ଏକଦା ୨୦୭/୨ ସ୍କୋରରେ ଥିବା ଇଂଲଣ୍ଡ ଶେଷ ୮ ୱିକେଟ୍ ୧୧୨ ରନରେ ହରାଇଛି ।
ଦ୍ୱିତୀୟ ଦିନର ଖେଳ ୨୦୭/୨ରୁ ଇଂଲଣ୍ଡ ତୃତୀୟ ଦିନର ବ୍ୟାଟିଂ ଆରମ୍ଭ କରିଥିଲା । ବେନ ଡକେଟ୍ ୧୩୩ ରନ କରି କ୍ରିଜରେ ଥିଲେ । ଗତକାଲି ଭ୍ରମଣକାରୀ ଇଂଲଣ୍ଡ ଦିନିକିଆ ଶୈଳୀରେ ବ୍ୟାଟିଂ କରିଥିଲା । ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ ବେନ ଡକେଟ୍ । ତେବେ ତୃତୀୟ ଦିନର ପ୍ରଥମ ସେସନରେ ଭାରତ ୩ଟି ସଫଳତା ମିଳିଥିଲା । ଜୋ ରୁଟ୍(୧୮) ବୁମରାଙ୍କ ଶିକାର ହୋଇଥିଲେ । ବେୟାରଷ୍ଟୋଙ୍କୁ ଖାତା ଖୋଲିବାକୁ ଦେଇ ନ ଥିଲେ କୁଲଦୀପ ଯାଦବ । ଏହା ପରେ ଡକେଟ୍ ଓ ଅଧିନାୟକ ବେନ ଷ୍ଟୋକ୍ସ ସ୍କୋରକୁ ୨୬୦ ରନରେ ପହଂଚାଇଥିଲେ । ଡକେଟଙ୍କୁ ଆଉଟ୍ କରି କୁଲଦୀପ ଯାଦବ ଭାରତକୁ ବଡ ସଫଳତା ଦେଇଥିଲେ । ଡକେଟ୍ ୧୫୧ ବଲରୁ ୨୩ ଚୌକା ଓ ୨ ଛକା ସହ ୧୫୩ ରନ କରିଥିଲେ ।
ଏହା ପରେ ଦ୍ୱିତୀୟ ସେସନରେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଏହି ସେସନରେ ଭାରତ ୪ଟି ୱିକେଟ୍ ନେଇଥିଲା । ବେନ ଷ୍ଟୋକ୍ସ(୪୧) ଓ ଟମ ହାର୍ଟଲୀ(୯)ଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ୍ କରିଥିଲେ । ଏହା ପରେ ଇଂଲଣ୍ଡ ନିମ୍ନକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ସିରାଜ ଫୋକ୍ସ(୧୩), ରେହାନ ଅହମ୍ମଦ(୬) ଓ ଜେମ୍ସ ଆଣ୍ଡରସନ(୧)ଙ୍କୁ ଆଉଟ୍ କରି ଇଂଲଣ୍ଡ ଇନିଂସକୁ ୩୧୯ ରନରେ ଅନ୍ତ ଘଟାଇଥିଲେ ।
ସୂଚନାଯୋଗ୍ୟ, ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ୧୩୧ ରନ, ରବୀନ୍ଦ୍ର ଜାଡେଜାଙ୍କ ୧୧୨ ରନ ଓ ସରଫରାଜ ଅହମ୍ମଦଙ୍କ ୬୨ ରନ ବଳରେ ୪୪୫ ରନ କରିଥିଲା । ଇଂଲଣ୍ଡ ୩୧୯ରେ ଅଲଆଉଟ୍ ହେବାରୁ ଭାରତକୁ ୧୨୬ ରନର ଅଗ୍ରଣୀ ହାସଲ କରିଛି ।