ଯଶସ୍ୱୀ ଜୟସ୍ୱାଲଙ୍କ ଲଗାତାର ଦ୍ୱିଶତକ, ଇଂଲଣ୍ଡ ବିପକ୍ଷରେ କଲେ ରେକର୍ଡ ବର୍ଷା


ରାଜକୋଟ: ଭାରତୀୟ କ୍ରିକେଟ୍ ଦଳର ବାମହାତୀ ଓପନର ଯଶସ୍ୱୀ ଜୟସ୍ୱାଲ ଇଂଲଣ୍ଡ ବିପକ୍ଷରେ ଜାରି ପାଂଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଲଗାତାର ଦ୍ୱିତୀୟ ଶତକ ହାସଲ କରିଛନ୍ତି । ପ୍ରଥମ ମ୍ୟାଚରେ ସେ ଶସ୍ତାରେ ଆଉଟ୍ ହୋଇଥିଲେ ହେଁ, ବିଶାଖାପଟନମ ପରେ ରାଜକୋଟରେ ଲଗାତାର ଦ୍ୱିଶତକ ଅର୍ଜନ କରିଛନ୍ତି । ଇଂଲଣ୍ଡ ବୋଲରଙ୍କୁ ଖୁବ୍ ଧୁଲେଇ କରି ଅନେକ ରେକର୍ଡ ସ୍ଥାପନ କରିଛନ୍ତି ।

ଯଶସ୍ୱୀ ୨୩୧ ବଲରେ ୧୪ ଚୌକା ଓ ୧୦ ଛକା ସହ ନିଜ ଟେଷ୍ଟ କ୍ୟାରିୟରରେ ଦ୍ୱିତୀୟ ଦ୍ୱିଶତକ ପୂରଣ କରିଛନ୍ତି । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୮୬.୫୮ ରହିଥିଲା, ଯାହା ଦର୍ଶାଉଛି ସେ କେଉଁ ଗତିରେ ବ୍ୟାଟିଂ କରୁଥିଲେ । ସେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଓ ମାର୍କ ଉଡଙ୍କୁ ଖୁବ୍ ପ୍ରହାର କରିଛନ୍ତି ।

ଗୋଟିଏ ଟେଷ୍ଟ ସିରିଜରେ ଦୁଇଟି ଦ୍ୱିଶତକ ହାସଲ କରିବାରେ ଜୟସ୍ୱାଲ ଭାରତର ତୃତୀୟ ବ୍ୟାଟର ହେବାର ଉପଲବ୍ଧି ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଭିନୁ ମଙ୍କଡ ୧୯୫୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଓ ବିରାଟ କୋହଲି ୨୦୧୮ରେ ଶ୍ରୀଲଙ୍କା ବିପକ୍ଷରେ ଏହି ରେକର୍ଡ ନିଜ ନାଁରେ କରିଥିଲେ । ଏହା ବାଦ୍ ଲଗାତାର ଦୁଇଟି ଟେଷ୍ଟରେ କ୍ରମାଗତ ଶତକ ଅର୍ଜନ କରିବାରେ ଯଶସ୍ୱୀ ଭାରତର ତୃତୀୟ ବ୍ୟାଟର ହୋଇ ପାରିଛନ୍ତି । ବିନୋଦ କାମ୍ବଲି ୧୯୯୨/୯୩ରେ ଇଂଲଣ୍ଡ ଓ ଜିମ୍ବାୱେ ବିପକ୍ଷରେ ଲଗାତାର ଦୁଇଟି ଟେଷ୍ଟରେ ଶତକ ଅର୍ଜନ କରିଥିଲେ ।

ଭାରତ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିସନସିପ ଇତିହାସରେ ଦୁଇଟି ଶତକ ହାସଲ କରିବାରେ ଜୟସ୍ୱାଲ ଦ୍ୱିତୀୟ ଭାରତୀୟ ବ୍ୟାଟର ହୋଇଛନ୍ତି । ଏ ପର୍ଯ୍ୟନ୍ତ ଏହି ସଫଳତା ମୟଙ୍କ ଅଗୱାଲ ହାସଲ କରିଥିଲେ । ବିରାଟ କୋହଲି ଓ ରୋହିତ ଶର୍ମା ଗୋଟିଏ ଲେଖାଏଁ ଦ୍ୱିଶତକ ଅର୍ଜନକ କରିଛନ୍ତି ।

ଯଶସ୍ୱୀ ଜୟସ୍ୱାଲ ଟେଷ୍ଟ କ୍ରିକେଟ୍ ଇତିହାସରେ ଆଉ ଏକ ବିଶ୍ୱ ରେକର୍ଡ କରିବାରେ ସଫଳ ହୋଇଛନ୍ତି । ସେ ଗୋଟିଏ ଟେଷ୍ଟ ସିରିଜରେ ସବୁଠୁ ଅଧିକ ଛକା ମାରିବାର ରେକର୍ଡ କରିଛନ୍ତି । ଏ ପର୍ଯ୍ୟନ୍ତ ୩ଟି ଟେଷ୍ଟରେ ୨୦ ଛକା ମାରି ସାରିଛନ୍ତି । ସିରିଜରେ ଆଉ ଦୁଇଟି ଟେଷ୍ଟ ବାକି ରହିଛି । ଅଦ୍ୟାବଧି ଏହି ରେକର୍ଡ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନାଁରେ ଥିଲା । ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୧୯ ଛକା ମାରିଥିଲେ । ଏହା ବାଦ୍ ଯଶସ୍ୱୀ ଗୋଟିଏ ଇନିଂସରେ ସର୍ବାଧିକ ୧୨ ଛକା ମାରିବାରେ ଯୁଗ୍ମ ଭାବେ ରେକର୍ଡର ଅଧିକାରୀ ହୋଇଛନ୍ତି । ୱାସିମ ଆକ୍ରମ ମଧ୍ୟ ଗୋଟିଏ ଇନିଂସରେ ୧୨ ଛକା ମାରିଥିଲେ ।