ଏବେ Gmailକୁ ଟକ୍କର ଦେବେ ଏଲନ ମସ୍କ, ଜଲଦି ଆସୁଛି Xmail !


ନୂଆଦିଲ୍ଲୀ: ଏବେ ଜିମେଲକୁ ଟକ୍କର ଦେବା ପାଇଁ ଅଂଟା ଭିଡିଛନ୍ତି ଏଲନ ମସ୍କ । ଖୋଦ୍ ମସ୍କ ଜଣେ ୟଜରଙ୍କ ପ୍ରଶ୍ନର ଉତର ଦେଇ ଏହାର ସୂଚନା ଦେଇଛନ୍ତି । ଚାଟଜିପିଟିର ନିଜର ଏକ ଭର୍ସନ ଜାରି କରିବା ପରେ ଏଲନ ମସ୍କ ଏକ୍ସମେଲ ଆଣିବାକୁ ଯାଉଥିବା କହିଛନ୍ତି, ଯାହା ସିଧାସଳଖ ଗୁଗଲର ଜିମେଲ୍ ସହ ଟକ୍କର ହେବ । ନିଜର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଆଲୋଚନା ସମୟରେ ମସ୍କ କହିଛନ୍ତି ଏକ୍ସମେଲ୍ ନାମକ ଏକ ପ୍ରଡକ୍ଟ ଶୀଘ୍ର ଆସିବାକୁ ଯାଉଛି । ମସ୍କଙ୍କ ଏହି ଘୋଷଣା ସେହି ସମୟରେ ଆସିଛି ଯେତେବଳେ ଜିମେଲ୍ ବନ୍ଦ ହେବା ନେଇ ଏକ ଫେକ୍ ଫଟୋ ଭାଇରାଲ୍ ହେବାରେ ଲାଗିଲା ।

ମସ୍କ ନିଜର ଆଗାମୀ ଏକ୍ସମେଲ୍ ସର୍ଭିସ ଉପରେ ଅଧିକ ସୂଚନା ଦେଇ ନାହାନ୍ତି । ଏଥିପାଇଁ ବର୍ତମାନ ଏହା ବିଷୟରେ କୌଣସି ସବିଶେଷ ତଥ୍ୟ ସାମ୍ନାକୁ ଆସିନାହିଁ । ମାତ୍ର ଏହାକୁ ଏକ୍ସ ଆପ୍ ସହ ଯୋଡା ଯିବାର ସମ୍ଭାବନା ରହିଛି । ମସ୍କ ସିକ୍ୟୁରିଟି ଇଞ୍ଜିନିୟରିଂ ଟିମର ଜଣେ ବରିଷ୍ଠ ସଦସ୍ୟ ନାଥନ ମ୍ୟାକଗ୍ରାଡିଙ୍କ ପୋଷ୍ଟରେ କହିଛନ୍ତି ଯେ, ଏକ୍ସମେଲ୍ ଶୀଘ୍ର ଆସିବାକୁ ଯାଉଛି । ଏକ୍ସମେଲ୍ ଆସିବା ପରେ ଇମେଲ ସେବାରେ ବଡ ଧରଣର ଓଲଟ ପାଲଟ ଦେଖିବାକୁ ମିଳିପାରେ ।

ଏହା ମଧ୍ୟରେ ଜଣେ ଏକ୍ସ ୟୁଜର କହିଛନ୍ତି, ଜିମେଲରୁ ଭରସା ଉଠିବାରେ ଲାଗିଛି । ଶୀଘ୍ର ଏକ୍ସମେଲ ଅଣାଯିବାର ସମୟ ଆସି ଯାଇଛି । ତେବେ ଏସବୁ ଉପରେ ମଧ୍ୟ ଜିମେଲ୍ ପକ୍ଷରୁ ପ୍ରତିକ୍ରିୟା ଆସିଛି । ସଂସ୍ଥା କହିଛି ଯେ, ଜିମେଲ କେଉଁଆଡେ ଯାଉନି । ନିଜ ଆସନରେ ଦୃଢ ଭାବେ ରହିବ । ଜିମେଲର ଏହି ପ୍ରତିକ୍ରିୟା ଏଲନ ମସ୍କଙ୍କୁ ଜବାବ ଭାବେ ଦେଖା ଯାଉଛି । ତେବେ ଦେଖିବା ବାକି ରହିଲା ଏଲନ ମସ୍କ କେବେ ଏକ୍ସମେଲକୁ ଲଂଚ୍ କରୁଛନ୍ତି ।