ଗୋପାଳପୁର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ପଟାଙ୍ଗପଡ଼ାକୁ ପରାସ୍ତ କରି ବାଗପୁର ଚମ୍ପିୟାନ
        କଳାହାଣ୍ଡି,୦୭/୦୩ -କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମ ପଂଚାୟତ ଗୋପାଳପୁରସ୍ଥିତ ମା ମାଉଳି କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଵର୍ଣ୍ଣଲତା ଗୋଲକ ବିହାରୀ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଆଜି ଫାଇନାଲ ମ୍ୟାଚ ସହିତ ଉଦଯାପିତ ହୋଇଯାଇଛି। ଆଜିର ଫାଇନାଲ ମ୍ୟାଚ ନର୍ଲା ବ୍ଲକ ବାଗପୁର ଓ ପଟାଙ୍ଗପଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ପଟାଙ୍ଗପଡା ଦଳ ଟସ ଜିଣି ବ୍ୟାଟିଂ କରିବା ସହିତ ୧୧ ଓଭରରେ ସମସ୍ତ ୱିକେଟ ହରାଇ ୮୭ ରନ ସଂଗ୍ରହ କରିଥିଲା। ଜବାବରେ ବାଗପୁର ଦଳ ଧୂଆଁଧାର ବ୍ୟାଟିଂ କରିବା ସହିତ ୭ ୱିକେଟରେ ପଟାଙ୍ଗପଡା ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ତରଫରୁ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ସୌରଭ ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଭାଲୁଚଞ୍ଚରା ୱାର୍ଡସଭ୍ୟ ଟଙ୍କଧର ମାଝୀ, ସଞ୍ଜୟ ପାଢ଼ୀ, କିରଣ ମାଝୀ, ଭକ୍ତରାମ ପୁଟେଲ, ମଣିରାମ ମିର୍ଧା, ନୀଲେଶ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ଯୁବଲେଖକ ଓ ସାମ୍ବାଦିକ ସୁଶୀଲ କୁମାର ବାଗଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ଅବସରରେ ଅତିଥିମାନେ ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ। ଟୁନା ପୁଟେଲ, ଲିପୁନ ସାଗର ଖେଳ ପରିଚାଳନା କରିଥିବାବେଳେ ଅମରଜିତ ସୁନା, ଦିଲୀପ ବାଗ ସ୍କୋରର ଦାୟିତ୍ୱ ତୁଲାଇଥିବାବେଳେ ଦୈତାରୀ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ। ଉପଦେଷ୍ଟା ଅନିଲ ପାଢ଼ୀ, ଅଭିନ ପାଢ଼ୀଙ୍କ ସମେତ ମୋହନ ବାଗ, ମାନସ ଗଉଡ଼, ନବୀନ ଗଉଡ଼, ଗଉର ବାଗ, ଅଜିତ ଗଉଡ଼ ଏବଂ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

                        