ରୋହିତ-ଗିଲଙ୍କ ଶତକରେ ଭାଙ୍ଗିଲା ଅନେକ ରେକର୍ଡ, ଧର୍ମଶାଳାରେ ଭାରତର ସ୍ଥିତି ମଜବୁତ


ଧର୍ମଶାଳା: ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଦମଦାର ଶତକ । ଧର୍ମଶାଳାରେ ଖେଳା ଯାଉଥିବା ଟେଷ୍ଟରେ ରୋହିତ ଶର୍ମା ୧୦୩ ଓ ଶୁଭମନ ଗିଲ୍ ୧୧୦ ରନ ଶତକୀୟ ଇନିଂସ ଖେଳିଛନ୍ତି । ଦୁଇ ବ୍ୟାଟର ଦ୍ୱିତୀୟ ୱିକେଟ୍ ପାଇଁ ୧୭୧ ରନ ଯୋଡିଥିଲେ । ରୋହିତ ଓ ଶୁଭମନଙ୍କ ଶତକରେ ଅନେକ ବଡ ବଡ ରେକର୍ଡ ଭାଙ୍ଗିଛି । ରୋହିତ ଭାରତ ପାଇଁ ଓପନର ଭାବେ ସବୁଠୁ ଅଧିକ ଶତକହାସଲକାରୀ ବ୍ୟାଟର ହୋଇଛନ୍ତି । ଧର୍ମଶାଳାରେ ଭାରତର ସ୍ଥିତି ମଜବୁତ ହୋଇଛି ।

ରୋହିତ ଭାରତୀୟ ଦଳ ପାଇଁ ଇଂଲଣ୍ଡ ବିପକ୍ଷରେ ଓପନ ଭାବେ ଟେଷ୍ଟରେ ସବୁଠୁ ଅଧିକ ଶତକ ହାସଲ କରିବାରେ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡରେ ରୋହିତ ୪ ଶତକ ଏବଂ ସୁନିଲ ଗାଭାସ୍କର ମଧ୍ୟ ୪ ଶତକ ଅର୍ଜନ କରିଛନ୍ତି । ଏହା ପରେ ବିଜୟ ମର୍ଚ୍ଚାଂଟ, କେଏଲ ରାହୁଲ ଓ ମୁରଲୀ ବିଜୟ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହି ଖେଳାଳି ୩ଟି ଲେଖାଏଁ ଶତକ ଅର୍ଜନ କରିଛନ୍ତି ।

୨୦୨୧ ପରେ ଭାରତ ପାଇଁ ସବୁଠୁ ଅଧିକ ଟେଷ୍ଟ ଶତକ ଅର୍ଜନ କରିବାରେ ଖେଳାଳି ହୋଇଛନ୍ତି ରୋହିତ । ସେ ୬ ଶତକ ହାସଲ କରିଛନ୍ତି । ଏଥିରେ ଶୁଭମନ ଗିଲ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗିଲ୍ ରବୀନ୍ଦ୍ର ଜାଡେଜାଙ୍କୁ ପଛରେ ପକାଇଛନ୍ତି । ଜାଡେଜା, ଯଶସ୍ୱୀ ଜୟସ୍ୱାଲ ଓ ଋଷଭ ପନ୍ତ ୩-୩ ଶତକ ଅର୍ଜନ କରିଛନ୍ତି ।

କ୍ରିସ ଗେଲଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ରୋହିତ କ୍ରିସ ଗେଲଙ୍କୁ ପଛରେ ପକାଇଛନ୍ତି । ସେ ଓପନର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଶତକ ହାସଲ କରିବାରେ ତୃତୀୟ ସ୍ଥାନରେ ପହଂଚିଛନ୍ତି । ରୋହିତ ୪୩ ଶତକ ହାସଲ କରିଥିବା ବେଳେ ଗେଲ୍ ୪୨ଟି ଶତକ ଅର୍ଜନ କରିଛନ୍ତି । ଡେଭିଡ୍ ୱାର୍ଣ୍ଣର ୪୯ ଶତକ ସହ ଶୀର୍ଷରେ ଅଛନ୍ତି । ୪୫ ଶତକ ସହ ସଚିନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।