ଅଶ୍ୱିନଙ୍କ ବୋଲିଂରେ ଇଂଲଣ୍ଡ ଧରାଶାୟୀ, ଭାରତର ଇନିଂସ ବିଜୟ, ୪-୧ରେ ସିରିଜ ଜିତିଲା ରୋହିତ ବାହିନୀ


ଧର୍ମଶାଳା: ଧର୍ମଶାଳା ଟେଷ୍ଟରେ ଭାରତର ଦମଦାର ବିଜୟ । କୁଲଦୀପ ଓ ଅଶ୍ୱିନଙ୍କ ଯାଦୁଗରୀ ବୋଲିଂ ଏବଂ ରୋହିତ-ଗିଲଙ୍କ ଶତକ ବଳରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ପଂଚମ ଟେଷ୍ଟରେ ଇନିଂସ ଓ ୬୪ ରନରେ ହରାଇଛି । ଏଥିସହ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଂଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୪-୧ରେ ଜିତି ନେଇଛି । ପ୍ରଥମ ଟେଷ୍ଟ ହାରି ବି ଭାରତ ଲଗାତାର ୪ ମୁକାବିଲା ଜିତି ଇତିହାସ ରଚିଛି । ବାଜବଲର ଜନକ କୁହାଯାଉଥିବା ଇଂଲଣ୍ଡ ସଂପୂର୍ଣ୍ଣ ଭାବେ ସିରିଜରେ ଧରାଶାୟୀ ହୋଇଛି । ପ୍ରଥମ ଟେଷ୍ଟ ଜିତିଥିଲେ ହେଁ ଦଳ ରୋହିତ ବାହିନୀ ସାମ୍ନାରେ ପ୍ରତ୍ୟାବର୍ତନ କରି ପାରିନାହିଁ । ଭାରତ ଦ୍ୱିତୀୟ ଇନିଂସରେ ୪୭୭ ରନ କରି ଇଂଲଣ୍ଡଠୁ ୨୫୯ ରନର ବିଶାଳ ଅଗ୍ରଣୀ ହାସଲ କରିଥିଲା । ତେବେ ଚତୁର୍ଥ ଇନିଂସରେ ଇଂଲଣ୍ଡ ରବିଚନ୍ଦ୍ରନ ଅଶ୍ୱିନଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୪୮.୧ ଓଭରରେ ୧୯୫ ରନରେ ଅଲଆଉଟ୍ ହୋଇଛି । ଏଥିସହ ଇଂଲଣ୍ଡ ଶୋଚନୀୟ ପରାଜୟ ଭୋଗିବା ସହ ଧର୍ମଶାଳା ଟେଷ୍ଟ ଅଢେଇ ଦିନରେ ଶେଷ ହୋଇଛି ।

ଏହି ମୁକାବିଲାରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ହେଲେ ଅଧିନାୟକ ନିଷ୍ପତି ସଠିକ୍ ସାବ୍ୟସ୍ତ ହେଲା ନାହିଁ । ଦଳ ୨୧୮ ରନରେ ଅଲଆଉଟ୍ ହୋଇଥିଲା । ଏଥିରେ କୁଲଦୀପ ଯାଦବ ୫ ଏବଂ ଅଶ୍ୱିନ ୪ ୱିକେଟ୍ ନେଇଥିଲେ । ଜାଡେଜା ଗୋଟିଏ ସଫଳତା ପାଇଥିବା ବେଳେ ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରାଉଲି ଏକମାତ୍ର ବ୍ୟାଟର ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହା ପରେ ଭାରତ ପ୍ରଥମ ଇନିଂସରେ ରୋହିତ ଶର୍ମା ଓ ଯଶସ୍ୱୀ ଜୟସ୍ୱାଲ ଦମଦାର ଆରମ୍ଭ ଦେଇଥିଲେ । ଜୟସ୍ୱାଲ ୫୭ ରନ କରି ଅଉଟ୍ ହୋଇଥିଲେ । ଏହା ପରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଯଥାକ୍ରମେ ୧୦୩ ରନ ଓ ୧୧୦ ରନ ଶତକୀୟ ଇନିଂସ ଖେଳିଥିଲେ । ସରଫରାଜ ଖାନ ୫୬ ଓ ପଦାର୍ପଣ କରିଥିବା ଦେବଦତ ପାଡିକଲ ମଧ୍ୟ ୬୫ ରନ କରିଥିଲେ । ଫଲରେ ଭାରତ ନିଜର ପ୍ରଥମ ଇନିଂସରେ ୪୭୭ ରନ କରିଥିଲା ।

ଭାରତୀୟ ଦଳ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୨୫୯ ରନରେ ଆଗୁଆ ରହିଥିଲା । ତୃତୀୟ ଦିନରେ ଇଂଲଣ୍ଡ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇଥିଲେ ହେଁ ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳୁଥିବା ଅଶ୍ୱିନ ଶାଣିତ ବୋଲିଂ କରି ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଅଶ୍ୱିନ ୫ ୱିକେଟ୍ ନେଇ ନିଜର ୧୦୦ତମ ଟେଷ୍ଟକୁ ସ୍ମରଣୀୟ କରିଛନ୍ତି । କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରା ପ୍ରତ୍ୟେକ ଦୁଇଟି ଲେଖାଏଁ ସଫଳତା ହାସଲ କରିଥିଲେ । ଇଂଲଣ୍ଡ ୧୯୫ ରନରେ ଅଲଆଉଟ୍ ହୋଇଥିବା ବେଳେ ଦଳ ପକ୍ଷରୁ ଜୋ ରୁଟ୍ ଏକମାତ୍ର ବ୍ୟାଟର ହିସାବରେ ୮୪ ରନ କରିବାରେ ସଫଳ ହୋଇଥିଲେ । ବାକି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ ।