ଭାରତ ଓ ଇଂଲଣ୍ଡ ସିରିଜରେ ହୋଇଛି ଏମିତି ରେକର୍ଡ, ଇତିହାସରେ କେବେ ଘଟି ନ ଥିଲା


ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ପାଂଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଏକ ବିଶ୍ୱ ରେକର୍ଡ ସ୍ଥାପନ ହୋଇଛି । ଏହି ସିରିଜରେ ଏତେ ଛକା ବର୍ଷା ହୋଇଛି ଯାହା ପୁରୁଣା ସମସ୍ତ ରେକର୍ଡ ଧ୍ୱସ୍ତ ହୋଇ ଯାଇଛି । ଏହା ପୂର୍ବରୁ ଟେଷ୍ଟ କ୍ରିକେଟ ଇତିହାରେ କୌଣସି ସିରିଜରେ ଏତେ ଛକା ହୋଇ ନ ଥିଲା ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଂଚ ମ୍ୟାଚର ଟେଷ୍ଟ ସିରିଜରେ ମୋଟ୍ ୧୦୨ ଛକା ଲାଗିଛି । ଟେଷ୍ଟ କ୍ରିକେଟ୍ ଇତିହାସରେ କେବେ ବି କୌଣସି ସିରିଜରେ ୧୦୦ ଛକା ହୋଇ ନାହିଁ । ଏହା ପୂର୍ବରୁ ଟେଷ୍ଟ ସିରିଜରେ ସର୍ବାଧିକ ୭୪ ଛକା ମରାଯାଇଥିଲା । ଏହି ସିରିଜ୍ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ଆସେସ ସିରିଜ୍ ଥିଲା । ସେହିପରି ୨୦୧୩-୧୪ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଟେଷ୍ଟ ସିରିଜରେ ମୋଟ୍ ୬୫ ଛକା ମରାଯାଇଥିଲା ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜରେ ମୋଟ୍ ୧୦୨ ଛକାରୁ ୭୨ ଛକା କେବଳ ଭାରତୀୟ ବ୍ୟାଟର ମାରିଥିବା ବେଳେ ୩୦ ଛକା ଇଂଲଣ୍ଡ ବ୍ୟାଟର ମାରିଛନ୍ତି । ବାଜବଲ ଖେଳୁଥିବା ଇଂଲଣ୍ଡ ଟିମ୍ ଭାରତୀୟ ବ୍ୟାଟରଙ୍କ ତୁଳନାରେ ଅଧା ଛକା ବି ମାରି ପାରି ନାହାନ୍ତି । ଭାରତ ପକ୍ଷରୁ ଏକାକୀ ଯଶସ୍ୱୀ ଜୟସ୍ୱାଲ ୨୬ଟି ଛକା ଓ ଶୁଭମନ ଗିଲ୍ ୧୧ ଛକା ମାରିଛନ୍ତି ।