କୋହଲିଙ୍କୁ ଟି-୨୦ ବିଶ୍ୱକପ୍ ଟିମରେ ସାମିଲ କରିବାକୁ ଏବେ ପାକିସ୍ତାନର ଉଠିଲା ସ୍ୱର


ନୂଆଦିଲ୍ଲୀ: ବିରାଟ କୋହଲି କୌଣସି ନା କୌଣସି ବିଷୟକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି । ତେବେ ସଂପ୍ରତି କୋହଲି ଟି-୨୦ ବିଶ୍ୱକପ୍ ୨୦୨୪କୁ ନେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଗତକାଲି ବିଭିନ୍ନ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ଖବର ଅନୁଯାୟୀ, କୋହଲିଙ୍କୁ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିବା ମୁସ୍କିଲ । କୋହଲିଙ୍କୁ ବିଶ୍ୱକପ୍ ଦଳରେ ସାମିଲ କରାଇବା ନେଇ ଏବେଠୁ ପାକିସ୍ତାନରୁ ସ୍ୱର ଉଠିଲାଣି । ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଇରଫାନ କୋହଲିଙ୍କ ସମର୍ଥନ କରି କହିଛନ୍ତି, ତାଙ୍କ ବିନା ଦଳ କିଛି ନୁହେଁ ।

ଋିପୋର୍ଟରେ କୁହାଯାଇଥିଲା ଯେ, ୱେଷ୍ଟଇଣ୍ଡିଜର ଧିମା ପିଚ କୋହଲିଙ୍କୁ ବିଶେଷ ସୁହାଇବ ନାହିଁ । ଏହି କାରଣରୁ ତାଙ୍କୁ ବିଶ୍ୱକପ୍ ଦଳରେ ସ୍ଥାନ ଦିଆଯାଇ ନ ପାରେ । ଏହା ମଧ୍ୟ କୁହାଯାଇଥିଲା ଯେ, ଚୟନକର୍ତା ଚାହାନ୍ତି କୋହଲି ଯୁବ ଖେଳାଳିଙ୍କୁ ସୁଯୋଗ ଦିଅନ୍ତୁ । କୋହଲିଙ୍କୁ ଶେଷ ଥର ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଦେଖିବାକୁ ମିଳିଥିଲା । ଦୁଇଟି ମ୍ୟାଚରେ ସେ ୨୯ ଓ ୦ ରନ କରିଥିଲେ । କୋହଲି ଉକ୍ତ ସିରିଜରେ ପ୍ରଭାବଶାଳୀ ପ୍ରଦର୍ଶନ କରି ପାରି ନ ଥିଲେ ।

ଏହି ସବୁ କଥାକୁ ଦୃଷ୍ଟିରେ ରଖି ପାକିସ୍ତାନର ମହମ୍ମଦ ଇରଫାନ ନ୍ୟୁଜ ୨୪ ସହ ଆଲୋଚନା ବେଳେ କହିଛନ୍ତି, ଆପଣ ବିରାଟ କୋହଲିଙ୍କ ବିନା ଟିମ୍ ତିଆରି କରି ପାରିବେ ନାହିଁ । କାରଣ ସେ ବହୁତ ବଡ ବ୍ୟାଟର । ଆମେ ସମସ୍ତେ ଗତ ବର୍ଷ ଖେଳା ଯାଇଥିବା ଦିନିକିଆ ବିଶ୍ୱକପରେ ତାଙ୍କ ପ୍ରଦର୍ଶନ ଦେଖିଛୁ । କୋହଲି ବିଶ୍ୱକପରେ ୩-୪ ମ୍ୟାଚରେ ଭାରତକୁ ନିଜ ଦମରେ ଜିତାଇଛନ୍ତି । ତେଣୁ ତାଙ୍କ ଉପରେ ସନ୍ଦେହ କରିବା ଠିକ୍ ହେବନି । ଯେଉଁ ଲୋକେ ଟି-୨୦ ବିଶ୍ୱକପରେ ବିରାଟ କୋହଲିଙ୍କ ସାମିଲ୍ ହେବା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି ସେମାନେ ଗଲିର କ୍ରିକେଟର ହୋଇ ଥାଇ ପାରନ୍ତି ବୋଲି ଇରଫାନ କହିଛନ୍ତି ।

ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ୨୦୨୨ ଟି-୨୦ ବିଶ୍ୱକପରେ ବିରାଟ କୋହଲି ଦମଦାର ପ୍ରଦର୍ଶନ କରିଥିଲେ । କୋହଲି କେବଳ ଭାରତ ନୁହେଁ ଟୁର୍ଣ୍ଣାମେଂଟରେ ସର୍ବାଧିକ ରନହାସଲକାରୀ ବ୍ୟାଟର ହୋଇଥିଲେ । ସେ ୬ଟି ମ୍ୟାଚର ୬ଟି ଇନିଂସରେ ୯୮.୬୭ ହାର ଏବଂ ୧୩୬.୪୧ ଷ୍ଟ୍ରାଇକ ରେଟରେ ୨୯୬ ରନ କରିଥିଲେ ।