Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୂର୍ବତନ କଳାମାଟି ସରପଞ୍ଚଙ୍କ ମହାନତା

ସମ୍ବଲପୁର,(ଗୋଡଭଗା):ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀହରି ନାଗ ଜନୈକା ପିତୃହରା ଗରୀବ ଝିଅର ଶୁଭ ବିବାହରେ ଖୋଲା ହୃଦୟରେ ସହଯୋଗ କରି ଅଞ୍ଚଳ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଖବରୁ ପ୍ରକାଶ ଯେ, କଳାମାଟି ପଞ୍ଚାୟତ ଅନ୍ତର୍ଗତ ଗୋଶାଳା ଛକ କଳପଡାର ସ୍ୱର୍ଗତ ସୁରେନ୍ଦ୍ର ଜାଲ ବାର ବର୍ଷ ଆଗରୁ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ତାଙ୍କ ଅନ୍ତେ ପରିବାରକୁ ସତେ ଯେମିତି କଳାବାଦଳ ଛାଇଯାଇଥିଲା। ଅସହାୟ ସ୍ତ୍ରୀ ଗୀତା ଜାଲ ଚାରି ଝିଅଙ୍କୁ ନେଇ କିପରି ସଂସାର ନାଆ ଆଗକୁ ନେବେ ଚିନ୍ତାକରି ମ୍ରିୟମାଣ ହୋଇ ଉଠିଲେ। ତଥାପି ମନକଷ୍ଟକୁ ହୃଦୟରେ ଚାପି ଗୋଡ କାଢିଲେ ଦିନ ମଜୁରିଆ ଭାବେ କାମ କରିବାକୁ। ବହୁ କଷ୍ଟରେ ନିଜ ଚାରି ଝିଅଙ୍କୁ ଛୋଟରୁ ବଡ କରିବାକୁ ଲାଗିଲେ। ବଡ ଝିଅ ପଦ୍ମିନୀ ବିବାହ ଯୋଗ୍ୟା ହେବାରୁ ତା’ର ବିବାହ କରାଇବାକୁ ମନସ୍ଥ କଲେ ଓ ଉପଯୁକ୍ତ ପାତ୍ର ସନ୍ଧାନରେ ରହିଲେ। ଶେଷରେ ବୌଦ୍ଧ ଜିଲ୍ଲାର ଘଟାପଡା ଗ୍ରାମର ଶର୍ମାଙ୍କ ସହିତ ବିବାହ କରାଇବାକୁ ସ୍ଥିରକଲେ। ବିବାହ କାର୍ଯ୍ୟ ଆୟୋଜନ ନିମନ୍ତେ ତାଙ୍କର ଆର୍ଥିକ ଅନାଟନ ସ୍ଥିତି ଭିତରେ ଭିତରେ ତାଙ୍କୁ ଦୁର୍ବଳ କରି ପକାଉଥିଲା। ନିରୂପାୟ ହୋଇ ଶେଷରେ ସେ କଳାମାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀହରି ନାଗଙ୍କୁ ଦେଖାକରି ଦୁଃଖ ଜଣାଇବାରୁ ଶ୍ରୀନାଗ ବାବୁ ଯଥାସମ୍ଭବ ସାହାଯ୍ୟ ସହଯୋଗ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇ କେତେ ଜଣ ବନ୍ଧୁଙ୍କ ସହ ମିଶି ପଦ୍ମିନୀଙ୍କ ବିବାହ କାର୍ଯ୍ୟରେ ଲାଗିପଡିଲେ। ଚାଉଳ, ଲୁଗାପଟା ତଥା ଅର୍ଥ ଯୋଗାଡ଼ ପୂର୍ବକ ବନ୍ଧୁମାନଙ୍କ ସହ ସମୟ ଦେଇ ବ୍ୟକ୍ତିଗତ ତଦାରଖରେ ଗତ ୧୨ ତାରିଖରେ ବୈବାହିକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରାଇଥିଲେ। ପୂର୍ବତନ ସରପଞ୍ଚ ଶ୍ରୀହରି ନାଗଙ୍କ ଏହି ଦରଦୀ ମନୋଭାବ ଓ ମହାନତା ଅଞ୍ଚଳ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।