ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଂକୁଳ ଶିଶୁ ଭାରତୀ ପଦାଧିକାରୀ ବୈଠକ ଅନୁଷ୍ଠିତ
ଜମନକିରା : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶନିବାର ଦିନ ସଂକୁଳ ଶିଶୁ ଭାରତୀ ପଦାଧିକାରୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୱତ ପରିଷଦର ସମ୍ମାନିତ ସଦସ୍ୟ ଶ୍ରୀଯୁକ୍ତ ମୋତିଲାଲ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ବୈଠକର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଗାମୀ ଦିନରେ ଏକ ସମୃଦ୍ଧ ତଥା ଶକ୍ତିଶାଳୀ ରାଷ୍ଟ୍ର ଗଠନ କରିବାରେ ଶିଶୁମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହ ଶିଶୁମାନଙ୍କ ମଧ୍ୟରେ କର୍ତ୍ତବ୍ୟବୋଧ, ଅନୁଶାସନ ଏବଂ ଗୁରୁଜନ ତଥା ଗୁରୁଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ କରିବା ଉପରେ ସେ ବିଶେଷ ଆଲୋକପାତ କରିଥିଲେ। ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ପ୍ରଣବ କୁମାର ଦ୍ୱିବେଦୀ ସଭାର ଆଭିମୁଖ୍ୟ ତଥା ଶିଶୁ ଭାରତୀ ଗଠନର ମୂଳ ଉଦ୍ଦେଶ୍ୟ ଉପରେ ସବିଶେଷ ଆଲୋଚନା କରିଥିଲେ। ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସାଲେକରାମ ପଧାନ ଉପସ୍ଥିତ ସମସ୍ତ ଶିଶୁ ଭାଇଭଉଣୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜେନ୍ଦ୍ର ମଟାରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଗୁରୁମା ଶ୍ରୀମତୀ ଛବିରାଣୀ ଗଡ଼ନାୟକ ସଭାକାର୍ଯ୍ୟ ପରିଚାଳନା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଏକଦିବସୀୟ ସମ୍ମିଳନୀରେ ସଂକୁଳ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୪୦ ଜଣ ଶିଶୁ ଭାଇଭଉଣୀ ଯୋଗଦାନ କରି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଅବଗତ ହୋଇଥିଲେ। ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଗୁରୁମା ଏବଂ କର୍ମଚାରୀଙ୍କ ସହଯୋଗରେ ସଭାକାର୍ଯ୍ୟଟି ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା।

