ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଆମେରିକା ପକ୍ଷରୁ ଚିନ୍ତା ପ୍ରକାଶ ଉପରେ ଭାରତ କଡା ଆପତି ପ୍ରକାଶ କରି ଦୃଢ ଜବାବ ଦେଇଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଏଥିରେ ଆମେରିକାର ଟିପ୍ପଣୀ ଅବାଂଛିତ ଅଟେ । ଏହା ବ୍ୟତୀତ ଆମେରିକା ପାଖରେ ସିଏଏକୁ ନେଇ ଭୁଲ୍ ତଥ୍ୟ ରହିଛି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆକ୍ଟର ବିଜ୍ଞପ୍ତି ଉପରେ ଆମେରିକାର ଚିନ୍ତା ପ୍ରକାଶକୁ ଆମେ କଡା ବିରୋଧ କରୁଛୁ । ଏହା ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଆମେରିକାକୁ ଏହା ଉପରେ ଟିପ୍ପଣୀ ଦେବାରୁ ନିବୃତ ରହିବା ଉଚିତ୍ ।
ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଟିପ୍ପଣୀ କରିଥିଲା ଯେ, ଆମେ ସିଏଏ ଉପରେ ନଜର ରଖିଛୁ । ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର କହିଥିଲେ, ଭାରତରେ ମାର୍ଚ୍ଚ ୧୧ରେ ନାଗତିକତା ସଂଶୋଧନ ଆଇନର ବିଜ୍ଞପ୍ତି ପ୍ରକାଶ ପାଇଛି । ଆମେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ ଯେ, କେମିତି ଏହି ଆକ୍ଟକୁ ଲାଗୁ କରାଯିବ । ଏହା ଉପରେ ନଜର ରଖିଛୁ ଯେ, ଏହି ଆକ୍ଟ ଆଧାରରେ ସବୁ ଧର୍ମକୁ ସମାନ ସମ୍ମାନ ଓ ଅଧିକାର ପ୍ରଦାନ କରାଯାଉଛି କି ନାହିଁ । ଏହାର ଜବାବରେ ଭାରତ କହିଛି, ଆମେ ସେହି ଲୋକଙ୍କ ଲେକଚରକୁ ଭ୍ରୁକ୍ଷେପ କରୁନି ଯାହାଙ୍କ ଭାରତର ବହୁଳତାବାଦୀ ସଂସ୍କୃତି ବିଷୟରେ ସୀମିତ ଜ୍ଞାନ ରହିଛି ।
ଭାରତ ପକ୍ଷରୁ ରୋକଠୋକ୍ ଜବାବ ଦିଆଯାଇ ଆକ୍ଟ ବିଷୟରେ ତଥ୍ୟ ରଖାଯାଇଛି । ସିଏଏରେ ଦେଶର ସଂଖ୍ୟାଲଘୁଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ । କାରଣ ସିଏଏରେ କାହାରି ନାଗରିକତା ଛଡାଇ ନେବାର ପ୍ରାବଧାନ ନାହିଁ । ସିଏଏ କେବଳ ତିନି ଦେଶ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ଖ୍ରୀଷ୍ଟିୟାନ ଓ ପାର୍ସି ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବାର ଏକ ଆଇନ । ଉକ୍ତ ତିନି ଦେଶରେ ଯେଉଁମାନଙ୍କୁ ଧାର୍ମିକ ଆଧାରରେ ନିର୍ୟାତାନ ଦିଆଯାଇଛି ସେମାନଙ୍କୁ ଶରଣ ଦେବା ଆମର ନୈତିକ ଏବଂ ସାମ୍ବିଧାନିକ ଦାୟିତ୍ୱ । ସେମାନଙ୍କୁ ନାଗରିକତା ମିଳିବ ଯେଉଁମାନେ ୧୯୪୭ ଅଗଷ୍ଟ ୩୧ରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତରେ ପ୍ରବେଶ କରିଥିବେ ।