ଆଇପିଏଲ୍ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯିବ ବିଦେଶରେ ? ଲୋକସଭା ନିର୍ବାଚନ ପାଇଁ ନିଆଯାଇପାରେ ଏପରି ନିଷ୍ପତି


ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିସିସିଆଇ ଆଇପିଏଲର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କରି ସାରିଛି । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ୨୧ଟି ମ୍ୟାଚ୍ ଭାରତରେ ଖେଳାଯିବ । ତେବେ ୧୭ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ ଭାରତ ବାହାରେ ହୋଇପାରେ । ଆଜି ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବାକୁ ଯାଉଛି । ଏହା ପରେ ବିସିସିଆଇ ଟୁର୍ଣ୍ଣାମେଂଟ ସମ୍ବନ୍ଧରେ ବଡ ନିଷ୍ପତି ନେଇପାରେ । ଆଇପିଏଲକୁ ୟୁଏଇ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି । ୨୦୨୦ କରୋନା ମହାମାରୀ କାରଣରୁ ୟୁଏଇରେ ଆଇପିଏଲର ଆୟୋଜନ ହୋଇଥିଲା ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଭାରତର ନିର୍ବାଚନ ଆୟୋଗ ଶନିବାର ଅପରାହ୍ଣ ୩ଟାରେ ନିର୍ବାଚନ ତାରିଖ ଘୋଷଣା କରିବେ । ଏହା ପରେ ବିସିସିଆଇ ସ୍ଥିର କରିବ ଯେ, ଆଇପିଏଲ ମ୍ୟାଚକୁ ଦୁବାଇ ସ୍ଥାନାନ୍ତର କରିବା ଉଚିତ୍ ହେବ କି ନାହିଁ । ସଂପ୍ରତି ବିସିସିଆଇର କିଛି ଶୀର୍ଷ ଅଧିକାରୀ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନର ସମ୍ଭାବନାକୁ ଦୃଷ୍ଟିରେ ରଖି ଦୁବାଇରେ ଅଛନ୍ତି । ଅନେକ ଗଣମାଧ୍ୟମ ରିପୋର୍ଟରେ ଖବର ପ୍ରକାଶ ପାଇଛି ଯେ, କିଛି ଆଇପିଏଲ୍ ଟିମ ନିଜର ଖେଳାଳିଙ୍କୁ ପାସପୋର୍ଟ ଜମା କରିବାକୁ କହିଛି ।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ କାରଣରୁ ୨୦୦୯ ଆଇପିଏଲକୁ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର କରାଯାଇଥିଲା । ପୁଣି ୨୦୧୪ ନିର୍ବାଚନରେ ଆଇପିଏଲର ପ୍ରଥମ ପର୍ଯ୍ୟାୟ ୟୁଏଇରେ ଆୟୋଜନ କରାଯାଇଥିଲା । କିନ୍ତୁ ୨୦୧୯ରେ ନିର୍ବାଚନ ସତ୍ୱେ ପୁରା ଟୁର୍ଣ୍ଣାମେଂଟ ଭାରତରେ ଖେଳା ଯାଇଥିଲା । ଆଇପିଏଲର ଅଧ୍ୟକ୍ଷ ଅରୁଣ ଧୁମଲ ଗତ ମାସରେ କହିଥିଲେ ଯେ, ୧୭ମ ସଂସ୍କରଣ ବିଦେଶକୁ ସ୍ଥାନାନ୍ତର ହେବ ନାହିଁ । କାରଣ ନିର୍ବାଚନ ତାରିଖ ଘୋଷଣା ପରେ କାର୍ଯ୍ୟସୂଚୀ ସେହି ହିସାବରେ ପ୍ରସ୍ତୁତ କରାଯିବ ।