ଭାରତରେ ପହଂଚିଲେ ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଖେଳାଳି, ଫଟୋ ସେୟାର କଲା କେକେଆର


ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ଆରମ୍ଭ ହେବାକୁ ଆଉ ମାତ୍ର ୪ଟି ଦିନ ବାକି ରହିଛି । ଭାରତକୁ ବିଦେଶୀ ଖେଳାଳିଙ୍କ ଆଗମନ ହେବାରେ ଲାଗିଛି । ଏହା ମଧ୍ୟରେ ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳି ଭାରତରେ ପହଂଚିଛନ୍ତି । ଆଉ ଏହି ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ । ତାଙ୍କୁ ଆଇପିଏଲ ଫ୍ରାଂଚାଇଜ କୋଲକାତା ନାଇଟ୍ ରାଇଡର୍ସ ନିଲାମରେ ୨୪ କୋଟି ୭୫ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି । ଷ୍ଟାର୍କ ଭାରତରେ ପହଂଚିଥିବା କେକେଆର ନିଜର ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।

କୋଲକାତା ନାଇଟ ରାଇଡର୍ସ ଷ୍ଟାର୍କଙ୍କ କିଛି ଫଟୋ ଇନଷ୍ଟାଗ୍ରାମ ସେୟାର କରି ଲେଖିଛି ଇଟ୍‌ସ ଏ ଷ୍ଟାର୍କି ନାଇଟ୍ । ସୂଚନାଯୋଗ୍ୟ, ମିଚେଲ୍ ଷ୍ଟାର୍କ ୮ ବର୍ଷ ପରେ ଆଇପିଏଲ୍ ଖେଳିବାକୁ ଯାଉଛନ୍ତି । ଏହା ପୂର୍ବରୁ ଷ୍ଟାର୍କ ୨୦୧୪ ଓ ୨୦୧୫ରେ ଆରସିବି ପକ୍ଷରୁ ଖେଳିଥିଲେ । ସେ ଏ ପର୍ଯ୍ୟନ୍ତ ଆଇପିଏଲରେ ୨୭ଟି ମ୍ୟାଚ୍ ଖେଳି ୨୦.୩୮ ହାରରେ ୩୪ ୱିକେଟ୍ ନେଇଛନ୍ତି । ଇକୋନୋମି ରେଟ୍ ୭.୧୭ ରହିଛି ।

ମିଚେଲଙ୍କ ସାଲେରୀ ଉପରେ ନଜର ପକାଇଲେ ଯଦି କେକେଆର ଆଇପିଏଲ୍ ୨୦୨୪ରେ ଫାଇନାଲରେ ପହଂଚେ ତେବେ ତାଙ୍କୁ ମୋଟ୍ ୧୭ଟି ମ୍ୟାଚ୍ ଖେଳିବାକୁ ପଡିପାରେ । ଏମିତିରେ ଷ୍ଟାର୍କ ପ୍ରତି ମ୍ୟାଚ୍ ପିଛା ୧.୪୬ କୋଟି ଟଙ୍କା ପାଇବେ । ତାଙ୍କୁ ପ୍ରତିଟି ମ୍ୟାଚରେ ସର୍ବାଧିକ ୪ ଓଭର ବୋଲିଂ କରିବାକୁ ପଡିବ । ଅର୍ଥାତ ଗୋଟିଏ ଓଭର ପାଇଁ ୩୬ ଲକ୍ଷ ଟଙ୍କା ଏବଂ ପ୍ରତି ବଲ ପାଇଁ ୧.୫ ଲକ୍ଷ ଟଙ୍କା ମିଳିବ ।