ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିକଟରେ ଦାୟିତ୍ୱ ସମ୍ଭାଳିଥିବା ଦୁଇ ନୂତନ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି । ଏହା ସହିତ ନିଯୁକ୍ତିଙ୍କୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନକୁ ଖାରଜ କରିଛନ୍ତି । କୋର୍ଟ ନିଜ ନିଷ୍ପତିରେ କହିଛନ୍ତି, ଏହି ସମୟରେ ନିଯୁକ୍ତି ଉପରେ ରୋକ ଲଗାଇଲେ କେବଳ ଲୋକସଭା ନିର୍ବାଚନ ଉପରେ ପ୍ରଭାବ ପଡିବ ନାହିଁ ବରଂ ଏଥିରେ ଅରାଜକତା ମଧ୍ୟ ଉତ୍ପନ ହେବ । ଅନ୍ୟପଟେ କୋର୍ଟ କେନ୍ଦ୍ର ସରକାରଙ୍କ ଦ୍ୱାରା ଆପଣା ଯାଇଥିବା ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଏବଂ ପ୍ରଶ୍ନ କରିଛନ୍ତି ଯେ, ଏତେ ତରବରିଆ ଭାବେ କେମିତି ନିଯୁକ୍ତି ଦିଆଯାଇ ପାରୁଛି ?
ସୁପ୍ରିମକୋର୍ଟ ଗୁରୁବାର ମାମଲାର ଶୁଣାଣି କରି କହିଛନ୍ତି, ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପ୍ରକ୍ରିୟାରେ ଆଉ କିଛି ସମୟ ଦିଆଯିବା ଉଚିତ୍, ଯଦ୍ୱାରା ଠିକ୍ ଏବଂ ସ୍ୱଚ୍ଛ ପ୍ରକ୍ରିୟାରେ ନିଯୁକ୍ତି ଦିଆଯାଇ ପାରିବ । ଏହା ସହିତ କୋର୍ଟ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି । ପୀଠ ୨୦୨୩ର ଆଇନ ଅନୁସାରେ ଦୁଇ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଉପରେ କହିଛନ୍ତି ଯେ, ସାଧାରଣତଃ ସୁପ୍ରିମକୋର୍ଟ ଅନ୍ତରୀଣ ଆଦେଶ ମାଧ୍ୟମରେ କୌଣସି ଆଇନ ଉପରେ ରୋକ୍ ଲଗାଯାଇ ପାରିବ ନାହିଁ ।
ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ଦୀପାଙ୍କର ଦତ ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କ ପୀଠ ମାମଲାର ଶୁଣାଣି କରିଛନ୍ତି । ଆବେଦନକାରୀଙ୍କୁ କୋର୍ଟ ନୂତନ ଆବେଦନ ଦାଖଲ କରିବାକୁ କହିଛନ୍ତି । ଆବେଦନକାରୀ ଅଭିଯୋଗ କରିଥିଲେ ଯେ, ଦୁଇ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପାଇଁ ବୈଠକ ପୂର୍ବରୁ ସରିଥିଲା । ଆବେଦନକାରୀଙ୍କ ଓକିଲ ବିକାଶ ସିଂ କହିଛନ୍ତି, ମୁଖ୍ୟ ନିର୍ବାଚନ କମିଶନ ଏବଂ ଅନ୍ୟ କମିଶନଙ୍କ ନିଯୁକ୍ତି ସଂପର୍କିତ ଅଧିନିୟମ ୨୦୨୩ର ସ୍ପଷ୍ଟ ଭାବେ ଉଲ୍ଲଂଘନ ହୋଇଛି ।