ମୁଖ୍ୟମନ୍ତ୍ରୀ କେଜରିୱାଲ ଇସ୍ତଫା ଦେବେ ନା ଜେଲରୁ ସରକାର ଚଳାଇବେ ? କ’ଣ କହୁଛି ଆଇନ


ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇ ସାରିଛନ୍ତି । ଗୁରୁବାର ଦୁଇ ଘଂଟା ପଚରା ଉଚୁରା ପରେ ଇଡି ତାଙ୍କୁ ଗିରଫ କରିଛି । ଅରବିନ୍ଦ କେଜରିୱାଲ ଏମିତି ମୁଖ୍ୟମନ୍ତ୍ରୀ ଯାହାଙ୍କୁ ପଦରେ ଥାଇ ଗିରଫ କରାଯାଇଛି । ଏହା ପୂର୍ବରୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ଇଡି ଗିରଫ କରିଥିଲା । କିନ୍ତୁ ଗିରଫଦାରୀ ପୂର୍ବରୁସ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କେଜରିୱାଲଙ୍କ ଗିରଫଦାରୀକୁ ଆମ୍ ଆଦମୀ ପାର୍ଟି ରାଜନୈତିକ ଷଡଯନ୍ତ୍ର ଦର୍ଶାଇଥିବା ବେଳେ ସମସ୍ତ ବିରୋଧୀ ଦଳ ଇଡି କାର୍ଯ୍ୟାନୁଷ୍ଠାନକୁ ଭୁଲ୍ ବୋଲି କହିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ଦିଲ୍ଲୀ ସରକାରର ଏବେ କଣ ହେବ ? ଆପ୍ ପାର୍ଟି କେମିତି ଚାଲିବ ? ଏହାକୁ ନେଇ ଆମ୍ ଆଦମୀ ପାର୍ଟିର ଷ୍ଟାଣ୍ଡ ପୁରା ସ୍ପଷ୍ଟ ରହିଛି । ଦିଲ୍ଲୀ ସରକାରରେ ମନ୍ତ୍ରୀ ଆତିଶି କହିଛନ୍ତି ଅରବିନ୍ଦ କେଜରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ, ଅଛନ୍ତି ଏବଂ ରହିବେ । ଆବଶ୍ୟକ ପଡିଲେ କେଜରିୱାଲ ଜେଲରୁ ରହି ସରକାର ଚଳାଇବେ । କୌଣସି ନିୟମ ତାଙ୍କୁ ଏମିତି କରିବାକୁ ରୋକି ପାରିବ ନାହିଁ । ସେ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି । ଏଥିପାଇଁ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବେ ।

କଣ ଏମିତି ହୋଇ ପାରିବ ?

କଣ ଏମିତି ନିୟମ ରହିଛି, ଗିରଫ ହେବା ପରେ ଜଣେ ଜେଲରୁ ରହି ସରକାର ଚଳାଇ ପାରିବେ । ଜେଲରେ ରହି ଜଣେ ନିର୍ବାଚନ ଲଢି ପାରିବ । ବିଧାନସଭାର ଗୃହ କାର୍ଯ୍ୟରେ ସାମିଲ ହୋଇ ପାରିବ । ମାତ୍ର ଜେଲରେ କୌଣସି ପ୍ରକାରର ବୈଠକ ହୋଇ ପାରିବ ନାହିଁ । ଜାନୁଆରୀରେ ଯେବେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା, ତେବେ ପିଏମଏଲଏ କୋର୍ଟ ତାଙ୍କୁ ଅନାସ୍ଥା ପ୍ରସ୍ତାବରେ ଭାଗ ନେବାକୁ ଅନୁମତି ଦେଇଥିଲେ । ଅରବିନ୍ଦ କେଜରିୱାଲ ଏବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ନୁହନ୍ତି । ହୋଇପାରେ ସେ ନିଜ ଇଚ୍ଛାରେ ଇସ୍ତଫା ଦେଇ ପାରନ୍ତି ।

୧୯୫୧ ଜନପ୍ରତିନିଧି ଆଇନରେ କେଉଁଠି ମଧ୍ୟ ଉଲ୍ଲେଖ ନାହିଁ ଯେ, ଜେଲ ଗଲେ କୌଣସି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକଙ୍କୁ ଇସ୍ତଫା ଦେବାକୁ ପଡେ । ଆଇନ ଅନୁଯାୟୀ, ଯେ ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ ପାରିବ ନାହିଁ । ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲ ଏ ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି । ତାଙ୍କୁ କେବଳ ଗିରଫ କରାଯାଇଛି ।
ଯଦି କେଜରିୱାଲ ଇସ୍ତଫା ନ ଦିଅନ୍ତି ତେବେ ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇପାରେ । କାରଣ ଜେଲରେ ରହି ସରକାରୀ କାମ ପରିଚାଳନା କରିବାରେ ସମସ୍ୟା ଆସିପାରେ । ଯଦି କେଜରିୱାଲ ଇସ୍ତଫା ଦେଇ ଦିଅନ୍ତି ତେବେ ବି ସେ ବିଧାୟକ ପଦରେ ରହିବେ । କାରଣ କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଯାଇ ହିଁ ବିଧାୟକ କିମ୍ବା ସାଂସଦଙ୍କୁ ଅଯୋଗ୍ୟ ଘୋଷିତ କରାଯାଏ ।

କଣ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇ ପାରିବ

ସମ୍ବିଧାନର ଅନୁଚ୍ଛେଦ ୩୬୧ ଆଧାରରେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ଯେ ପର୍ଯ୍ୟନ୍ତ ପଦରେ ଥିବେ , ସେ ପର୍ଯ୍ୟନ୍ତ ନା ତାଙ୍କୁ ଗିରଫ କରାଯାଇ ପାରିବ ନା ଅଟକ ରଖାଯାଇ ପାରିବ । କୌଣସି ଅଦାଲତ ତାଙ୍କ ବିରୋଧରେ କୌଣସି ଆଦେଶ ଜାରି କରି ପାରିବେ ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକଙ୍କ ପାଇଁ ଏମିତି ନିୟମ ନାହିଁ । କେବଳ ସିଭିଲ ମାମଲାରେ ଧାରା ୧୩୫ ଆଧାରରେ ଏହି ସବୁ ବ୍ୟକ୍ତିଙ୍କୁ ଗିରଫଦାରୀରୁ ରିହାତି ମିଳି ପାରିବ । କିନ୍ତୁ ଅପରାଧିକ ମାମଲାରେ ରିହାତି ମିଳିବ ନାହିଁ । ଅର୍ଥାତ ଅପରାଧିକ ମାମଲାରେ ପ୍ରଧାନମନ୍ତ୍ରୀ ହୁଅନ୍ତି କି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଗିରଫ କରାଯାଇ ପାରିବ ।