ଭୁୁବନେଶ୍ୱର: ଗତକାଲି ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଛି । ବିଳମ୍ବିତ ରାତି ଯାଏ ବସିଥିବା ବୈଠକରେ ଓଡିଶାର ପ୍ରାର୍ଥୀ ତାଲିକା ଓ ରଣନୀତି ବିଷୟରେ ଆଲୋଚନା ହୋଇଛି । ଓଡିଶାର ସମସ୍ତ ୨୧ ଲୋକସଭା ଆସନ ଉପରେ ସିଇସିରେ ଆଲୋଚନା ହୋଇଥିବା ବୈଠକ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ।
ସବୁଠୁ ବଡ ଖବର ଏହା ଯେ, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଏଏନଆଇ ସୂତ୍ରରୁ ପ୍ରକାଶ । ପୁରୀରୁ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁଣି ଥରେ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ରାଜଧାନୀ ଭୁୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ ପୁଣି ଥରେ ପ୍ରାର୍ଥୀ ହେବେ ବୋଲି ଏଏନଆଇ ସୂଚନାରୁ ଜଣା ପଡିଛି । ଏହା ସହିତ ରାଜ୍ୟର ଦୁଇ ବିଜେପି ସାଂସଦଙ୍କ ପ୍ରାର୍ଥୀ କଟିପାରେ । ଏହି ବୈଠକରେ ଓଡିଶା ସମେତ ଉତର ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶର ପ୍ରାର୍ଥୀ ତାଲିକା ଓ ରଣକୌଶଳ ବିଷୟରେ ଆଲୋଚନା ହୋଇଛି ।
ସିଇସି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ସଂଗଠନ ସଂପାଦକ ମାନସ ମହାନ୍ତି ଯୋଗ ଦେଇଥିଲେ ।
ବୈଠକରେ ୨୧ ଲୋକସଭା ଆସନ ଉପରେ ଆଲୋଚନା ହୋଇଥିବା ଏଏନଆଇ ପକ୍ଷରୁ କୁହାଯାଇଛି । ଯେଉଁ ଦୁଇ ଜଣ ସାଂସଦଙ୍କ ଟିକେଟ୍ କଟିବାର ସମ୍ଭାବନା ରହିଛି ସେଥିରେ ବର୍ତମାନ ସମ୍ବଲପୁରର ସାଂସଦ ଥିବା ନୀତେଶ ଗଙ୍ଗଦେବ ସାମିଲ । ଯଦି ଏହି ଆସନରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୁଅନ୍ତି ତେବେ ନୀତେଶ ଗଙ୍ଗଦେବଙ୍କ ଟିକେଟ୍ କଟିବା ନିଶ୍ଚିତ ଲାଗୁଛି । ସେମିତିରେ ବି ସମ୍ବଲପୁର ଲୋକସଭା ସିଟରେ ନୀତେଶଙ୍କ ଜନାଧାର କମିବାରେ ଲାଗିଛି । ତାଙ୍କୁ ରାଜନୀତିରେ ସକ୍ରିୟ ଦେଖିବାକୁ ମଧ୍ୟ ମିଳୁନାହିଁ । ତେଣୁ ତାଙ୍କର ଟିକେଟ୍ କଟିଲେ ଆଶ୍ଚର୍ଯ୍ୟ ହେବାର କୌଣସି ବିଷୟ ନାହିଁ । ଅନ୍ୟପକ୍ଷେ ଆଉ କେଉଁ ସାଂସଦଙ୍କୁ ଟିକେଟ୍ ମିଳିନ ପାରେ ତାର ଚିତ୍ର ସ୍ପଷ୍ଟ ହୋଇନି ।
କିନ୍ତୁ କୁହାଯାଉଛି ବରଗଡରୁ ସୁରେଶ ପୂଜାରୀଙ୍କ ବଦଳରେ ଦଳ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିପାରେ । ଆଉ ସୁରେଶଙ୍କୁ ରାଜ୍ୟ ରାଜନୀତିରେ ରଖିପାରେ । ଅନ୍ୟପକ୍ଷେ ବରଗଡ ସଂସଦୀୟ କ୍ଷେତ୍ରରେ ପୂଜାରୀଙ୍କ ଲୋକପ୍ରିୟତା ମଧ୍ୟ କମିଥିବା ତୃଣମୂଳସ୍ତରରେ କର୍ମୀଙ୍କ ମହଲରୁ ପ୍ରକାଶ । ଅନ୍ୟ ଏକ ଖବର ଅନୁଯାୟୀ, ମୟୂରଭଞ୍ଜରୁ ବିଶ୍ୱେଶ୍ୱର ଟୁଡୁ ଏଥର ନିର୍ବାଚନ ଲଢିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।