ଭୁବନେଶ୍ୱର: ଦଳରୁ ସୁକାନ୍ତ ନାୟକ ଓ ପ୍ରକାଶ ବେହେରା ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛି ରାଜ୍ୟ ବିଜେପି । କ୍ଲିନ ଇମେଜ ବ୍ୟକ୍ତି ବିଜେପିକୁ ଆସୁଥିବା କହିଛନ୍ତି ମୁଖପାତ୍ର ଅନୀଲ ବିଶ୍ୱାଳ । ସେ କହିଛନ୍ତି ଗତକାଲି ୬ ଥରର ସାଂସଦ ଦଳରେ ମିଶିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ୨ ଥରର ସାଂସଦ ବିଜେପିରେ ଯୋଗ ଦେଇଛନ୍ତି । ଭାରତୀୟ ଜନତା ପାର୍ଟିକୁ ଅଧିକ ଲୋକ ଆସୁଛନ୍ତି । ଯାହାର କ୍ଲିନ ଇମେଜ ସେମାନେ ବିଜେଡି ଛାଡି ବିଜେପିକୁ ଆସୁଛନ୍ତି । ଦଳ ସଭିଙ୍କୁ ସ୍ୱାଗତ କରୁଛି । ଯେଉଁମାନେ ଦଳ ଛାଡୁଛନ୍ତି ସେମାନଙ୍କୁ ମଧ୍ୟ ସ୍ୱାଗତ ବୋଲି ବିଜେପି ମୁଖପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ, ଆଜି ବିଜେପି ଛାଡିଛନ୍ତି କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସୁକାନ୍ତ ନାୟକ ୨୦୧୪ରେ ବିଜେଡି ଟିକେଟରେ ନିଳଗିରିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ରେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ଆଉ ବିଜେପି ଟିକେଟ ଏହି ଆସନରୁ ନିର୍ବାଚନ ଜିତିଥିଲେ । କିନ୍ତୁ ଆଜି କେଉଁ କାରଣ ପାଇଁ ବିଜେପି ଛାଡିଲା କିଛି ଉଲ୍ଲେଖ କରି ନାହାନ୍ତି । ସେ ବିଜେଡିରେ ଯୋଗ ଦେବେ କି ନାହିଁ ତାହା ମଧ୍ୟ ଜଣା ପଡିନି । ନିଜ ସମର୍ଥକଙ୍କ ସହ ଆଲୋଚନା କରିବା ପରେ ପରବର୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ପ୍ରକାଶ ଚନ୍ଦ୍ର ବେହେରା କଟକ ଜିଲ୍ଲା ବିଜେପି ସଭାପତି ଥିଲେ । ସେ ଇସ୍ତଫା ପତ୍ରରେ ଲେଖିଛନ୍ତି, ମୁଁ ସଦାବେଳେ ମୋ ପଦକୁ ନ୍ୟାୟ ଦେବାକୁ ପ୍ରୟାସ କରିଛି । ତା ସହିତ ଦଳ ଯେପରି ମାଇଲଖୁଂଟ ହାସଲ କରିପାରିବ ସେ ନେଇ ଚେଷ୍ଟା କରିଛି । କିନ୍ତୁ ଏହି କାର୍ଯ୍ୟକୁ ମୁଁ ସନ୍ତୋଷଜନକ ଭାବେ ତୁଲାଇ ପାରିନି । ତେଣୁ ଆଜି ମୁଁ ବିଜେପିରୁ ଇସ୍ତଫା ଦେଉଛି । ବିଜେପି ଛାଡିବା ପରେ ପ୍ରକାଶଙ୍କ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଏପରିକି ବିଜେଡିରେ ଯୋଗ ଦେଲେ ତାଙ୍କୁ ସାଲେପୁର ବିଧାନସଭା ସିଟରୁ ଟିକେଟ୍ ମିଳିପାରେ ବୋଲି କୁହାଯାଉଛି । ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ ହେଁ ସାଲେପୁର ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।