ଭୁବନେଶ୍ୱର: ଗତକାଲି ବିଜେଡିକୁ ଲାଗିଥିବା ଝଟକା ପରେ ଦଳକୁ ଆଜି କିଛିଟା ଆଶ୍ୱସ୍ତି ମିଳିଛି । ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ପରେ ଦଳରେ ସାମିଲ ହୋଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରବିବାର ସମର୍ଥକଙ୍କ ସହ ଶଙ୍ଖଭବନରେ ବିଜେଡିରେ ସାମିଲ ହୋଇଛନ୍ତି ସୁକାନ୍ତ । ମିଶ୍ରଣ ପର୍ବରେ ବିଜେଡିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହା ସହିତ ସୁକାନ୍ତଙ୍କ ଘର ବାହୁଡା ହୋଇଛି ।
ସୁକାନ୍ତ ନାୟକ ୨୦୧୪ରେ ବିଜେଡି ଟିକେଟରେ ନିଳଗିରିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ରେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ଆଉ ବିଜେପି ଟିକେଟ ଏହି ଆସନରୁ ନିର୍ବାଚନ ଜିତିଥିଲେ । କିନ୍ତୁ ପୁଣି ବିଜେପି ଛାଡିଲା ସେ ବିଜେଡିରେ ଯୋଗ ଦେଇଛନ୍ତି । ନିଜ ସମର୍ଥକଙ୍କ ସହ ଆଲୋଚନା କରିବା ପରେ ସେ ପୁଣି ଘର ବାହୁଡା କରିଛନ୍ତି। ବିଜେପି କାହିଁକି ଛାଡିଲେ ତାହା ଏ ପର୍ଯ୍ୟନ୍ତ ଜଣା ପଡିଲା ନାହିଁ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଜି ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଆଜି ଶଙ୍ଖ ଭବନରେ ସାଂସଦ ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଚିରଞ୍ଜୀବ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।
ବିଜେଡିରେ ମିଶିବା ପରେ ଚିରଞ୍ଜୀବ ବିଶ୍ୱାଳ କହିଥିଲେ, ନବୀନଙ୍କ ନେତୃତ୍ୱ ଓ ୨୫ ବର୍ଷର ଜନାଭିମୁଖୀ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ବିଜେଡିକୁ ଆସିଛି। ଏଥର ୧୨୦ରୁ ଅଧିକ ବିଧାୟକ ଓ ୧୫ରୁ ଅଧିକ ସାଂସଦଙ୍କୁ ଜିତେଇବାରେ ସହଯୋଗ କରିବୁ।