ଭୁବନେଶ୍ୱର: ବିଳମ୍ବ ହେବାରେ ଲାଗିଛି ଟିକେଟ୍ ଘୋଷଣା । ଆଉ ବଢିବାରେ ଲାଗିଛି ଆଶାୟୀ ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ । ଦିନେ ଦୁଇ ଦିନ ଭିତରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି କୁହାଯାଉଥିଲେ ହେଁ ବିଜେପି ଏବଂ କଂଗ୍ରେସ ଏ ପର୍ଯ୍ୟନ୍ତ ବିଧାନସଭା ପ୍ରାର୍ଥୀ ଘୋଷଣା କରି ନାହାନ୍ତି । ବିଜେଡି ଅଧା ବିଧାନସଭାରେ କାହାକୁ ପ୍ରାର୍ଥୀ କରିବ ମାନସ ମନ୍ଥନ ଚଲାଇଛି । ଦଳ ଡିଆଁ ପର୍ବ ଜାରି ରହିଥିବାରୁ ବୋଧହୁଏ ତିନି ଦଳଙ୍କ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଘଟୁଛି । ଫଳରେ ଆଶା ଏବଂ ଆଶଙ୍କାରେ ରହିଛନ୍ତି ଆଶାୟୀ ପ୍ରାର୍ଥୀ ।
ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ପ୍ରାର୍ଥୀ କଲେ ନିର୍ବାଚନୀ ବୈତରଣୀ ପାରି ହେବ କି ନାହିଁ ସେ ନେଇ ଅଙ୍କ କଷୁଛନ୍ତି ବିଜେପି ଓ ବିଜେଡି । ସେପଟେ କଂଗ୍ରେସ ଆଗୁଆ ପ୍ରାର୍ଥୀ ଦେବ କହି ଏପ୍ରିଲ ପ୍ରଥମ ସପ୍ତାହକୁ ଦିନ ଗଡାଇ ଚାଲିଛି । ୧୦୦ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ ହୋଇ ସାରିଥିବା ଶୀଘ୍ର ଘୋଷଣା କରାଯିବ ବୋଲି ବିଜେପି କହିଥିଲା । ତେବେ ଆକାଶ ଦାସ ନାୟକ, ଅରିନ୍ଦମ, ସିଦ୍ଧାନ୍ତ ମହାପାତ୍ର ଦଳରେ ମିଶିବା ପରେ ଏହି ତାରକାଙ୍କୁ କେଉଁଠୁ ପ୍ରାର୍ଥୀ କରାଯିବ ସେ ନେଇ ବିଚାର ବିମର୍ଶ ଚାଲିଥିବାରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇ ପାରି ନ ଥିବା କୁହାଯାଉଛି । ସେମିତିରେ ଆଜି ଅନୁଭବ ମହାନ୍ତି ବିଜେପିରେ ମିଶିବାର ସମ୍ଭାବନା ରହିଛି ।
ବିଜେଡିର ମଧ୍ୟ ସମାନ ଅବସ୍ଥା । ଦଳରେ ଯେତେ ନେତା ଯୋଗ ଦେଉଛନ୍ତି ତାଠୁ ଅଧିକ ଦଳ ଛାଡୁଛନ୍ତି । ଦଳ ମଧ୍ୟ ଅବଶିଷ୍ଟ ୬ ଲୋକସଭା ସିଟ୍ ଓ ୭୫ ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା କରି ପାରିନାହିଁ । ଅନ୍ୟ ଦଳରୁ ଆସୁଥିବା ନେତାଙ୍କୁ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ବିଜେଡି । କାରଣ ଦଳରେ ଗୋଷ୍ଠୀ କନ୍ଦଳ ବହୁତ ରହିଛି । ଯାହାର ଚିତ୍ର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳି ସାରିଛି । ରାଜ୍ୟର ଅନେକ ନିର୍ବାଚନ ମଣ୍ଡଳୀରେ ସମାନ ସ୍ଥିତି । ତେଣୁ ଦଳ ମଧ୍ୟ ଅବଶିଷ୍ଟ ଆସନରେ ପ୍ରାର୍ଥୀ ଦେବାକୁ ସମୟ ନେଉଛି ।
ପ୍ରାର୍ଥୀ ଘୋଷଣାରେ କଂଗ୍ରେସ ସବୁଠୁ ପଛରେ ରହିଛି । ନା ଦଳ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ନା ଲୋକସଭା ପାଇଁ । ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ପ୍ରଥମ ପ୍ରାର୍ଥୀ ତାଲିକା ଆସିବ ବୋଲି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଅନ୍ୟ ଦଳଠୁ କଂଗ୍ରେସ ଆଗେ ପ୍ରାର୍ଥୀ ଘୋଷଣା କରିବ ବୋଲି ଦଳ କହିଥିଲା । କିନ୍ତୁ ବିଜେଡି ଓ ବିଜେପି ମେଂଟକୁ ଅପେକ୍ଷା କରିଥିଲା । ମେଂଟ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡି ସାରିଥିଲେ ହେଁ ଦଳ ଏବେ ବି ମାନସ ମନ୍ଥନ ଚଳାଇଛି ।