ଚନ୍ଦ୍ରଶେଖରଙ୍କୁ ବିଜେଡିର ନୂଆ ଦାୟିତ୍ୱ, ହେଲେ ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ


ଭୁବନେଶ୍ୱର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ୱ ଦେଇଛି ବିଜେଡି । ରାଜ୍ୟ ଉପସଭାପତି ସହ ବିଜେଡି ଇସ୍ତାହାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ବୁଧବାର ପ୍ରେସ୍ ରିଲିଜ ଜରିଆରେ ବିଜେଡି ସୂଚନା ଦେଇଛି । ଚନ୍ଦ୍ରଶେଖରଙ୍କୁ ଏହି ଦାୟିତ୍ୱ ଦିଆଯିବା ଅର୍ଥ ଏଥର ଦଳ ତାଙ୍କୁ ବ୍ରହ୍ମପୁର ଲୋକସଭାରୁ ଟିକେଟ୍ ଦେଉନି ।

ଏବେ ଚନ୍ଦ୍ରଶେଖରଙ୍କ ତତ୍ୱାବଧାନରେ ଆଗାମୀ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ ବିଜେଡି । କେଉଁ କେଉଁ ପ୍ରସଙ୍ଗକୁ ସାମିଲ କରାଯିବ କଣ ଯୋଜନା ରଖାଯିବ ତାହା ଦଳ ଇସ୍ତାହାରରେ ପ୍ରକାଶ କରିବ । ଏମିତି ଇସ୍ତାହାର ପ୍ରସ୍ତୁତ କରାଯିବ ଯେମିତି ଦଳକୁ ଏଥର ନିର୍ବାଚନୀ ବୈତରଣୀ ପାରି କରାଇବ, ତାର ଦାୟିତ୍ୱ ଚନ୍ଦ୍ରଶେଖରଙ୍କ ଉପରେ ରହିଛି । ଏହା ସହିତ ତାଙ୍କୁ ରାଜ୍ୟ ଉପସଭାପତି ଦାୟିତ୍ୱ ମଧ୍ୟ ଦିଆଯାଇଛି ।

ଚନ୍ଦ୍ରଶେଖରଙ୍କୁ ଏମିତି ଦାୟିତ୍ୱ ଦିଆଯିବାର ଅର୍ଥ ସେ ଏଥର ନିର୍ବାଚନ ଲଢିବେ ନାହିଁ । ତେବେ ବ୍ରହ୍ମପୁରରୁ ଦଳ କାହାକୁ ସାଂସଦ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କୁହାଯାଉଛି ବିଜେପି ଛାଡିଥିବା ଭୃଗୁ ବକ୍ସିପାତ୍ର ଯଦି ବିଜେଡିରେ ମିଶନ୍ତି ତେବେ ଦଳ ତାଙ୍କୁ ବ୍ରହ୍ମପୁର ସଂସଦୀୟ କ୍ଷେତରୁ ପ୍ରାର୍ଥୀ କରିବ । ଏମିତି ହେଲେ ବ୍ରହ୍ମପୁରରେ ପ୍ରଦୀପ ବନାମ ଭୃଗୁ ଲଢେଇ ଦେଖିବାକୁ ମିଳିପାରେ ।