Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି- ମହିଳାଙ୍କୁ ବାର୍ଷିକ ୧ ଲକ୍ଷ, ୩୦ ଲକ୍ଷ ଯୁବକଙ୍କୁ ଚାକିରି, ଏମଏସପି ଆଇନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ପାର୍ଟି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଆଜି ଏହି ଘୋଷଣା ପତ୍ର ଜାରି କରିଛନ୍ତି । ଦଳ ନିର୍ବାଚନୀ ଇସ୍ତାହାରକୁ ‘ନ୍ୟାୟ ପତ୍ର’ର ନାମ ଦେଇଛି । ଏଥିରେ କଂଗ୍ରେସ ପାର୍ଟି ସମଗ୍ର ଦେଶରେ ଜାତିଗତ ଜନଗଣନା କରାଇବାକୁ ପ୍ରତିଶ୍ରୁତି ଦେଇଛି । କଂଗ୍ରେସର ଘୋଷଣା ପତ୍ର ୫ ନ୍ୟାୟ ଭାଗିଦାରୀ ନ୍ୟାୟ, କୃଷକ ନ୍ୟାୟ, ନାରୀ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଯୁବ ନ୍ୟାୟ ଉପରେ ଆଧାରିତ । ଯୁବ ନ୍ୟାୟ ଗ୍ୟାରେଂଟିରେ ୩୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦିଆଯିବା ଏବଂ ଯୁବକଙ୍କୁ ଗୋଟିଏ ବର୍ଷ ପାଇଁ ଏକ ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନ୍ୟାୟ ପତ୍ର ବିଷୟରେ ସୂଚନା ଦେଇ କହିଛନ୍ତି, ୨୦୨୪ରେ ଯଦି କେନ୍ଦ୍ରରେ ଆମ ସରକାର ଗଠନ ହୁଏ ତେବେ ସରକାର ପ୍ରତ୍ୟେକ ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ । ଏହା ବ୍ୟତୀତ କୃଷକଙ୍କ ଋଣଛାଡ କରାଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି । କଂଗ୍ରେସ ପାର୍ଟି ନିର୍ବାଚନୀ ଇସ୍ତାହାରରେ ୫ ନ୍ୟାୟ ଓ ୨୫ ଗ୍ୟାରେଂଟି ଉଲ୍ଲେଖ କରିଛି । କେନ୍ଦ୍ରରେ କଂଗ୍ରେସ ସରକାରକୁ ଆସିଲେ ମନରେଗା ଆଧାରରେ ଶ୍ରମିକଙ୍କ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି କରାଯିବ ।

କଂଗ୍ରେସର ନିର୍ବାଚନୀ ଇସ୍ତାହାରର ବଡ କଥା

୧ – ଆର୍ଥିକ ଭାବେ ଦୁର୍ବଳ ବର୍ଗ ପାଇଁ ଚାକିରି, ଶିକ୍ଷାନୁଷ୍ଠାନରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବିନା କୌଣସି ଭେଦଭାବରେ ସମସ୍ତ ଜାତି, ସମୁଦାୟ ପାଇଁ ଲାଗୁ କରାଯିବ ।
୨ – ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଗ ପାଇଁ ସଂରକ୍ଷଣର ସୀମା ୫୦ ପ୍ରତିଶତ ବଢାଇବା ପାଇଁ ସମ୍ବିଧାନରେ ବିଧେୟକ ଗୃହୀତ କରାଯିବ ।
୩ – କଂଗ୍ରେସ ଦେଶବ୍ୟାପୀ ସାମାଜିକ-ଆର୍ଥିକ ଓ ଜାଗିଗତ ଜଣଗଣନା କରାଇବ ।
୪ – ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ ବୀମାର ରାଜସ୍ଥାନ ମୋଡେଲ ଲାଗୁ କରାଯିବ ।
୫ – କୃଷକ ନ୍ୟାୟ ଆଧାରରେ ଏମଏସପିକୁ ଆଇନର ମାନ୍ୟତା ଦିଆଯିବ ।
୬ – ଋଣଛାଡ ଆୟୋଗ ଗଠନ କରାଯିବ । ଏହା ସହିତ ଜିଏସଟି ମୁକ୍ତ ଚାଷର ବ୍ୟବସ୍ଥା କରାଯିବ ।
୭ – ଶ୍ରମିକ ନ୍ୟାୟ ଆଧାରରେ ଶ୍ରମିକଙ୍କୁ ସ୍ୱାସ୍ଥ୍ୟର ଅଧିକାର ଦେବା, ସର୍ବନିମ୍ନ ମଜୁରୀ ଦୈନିକ ୪୦୦ ଟଙ୍କା ସୁନିଶ୍ଚିତ କରିବା ଓ ସହରାଂଚଳ ରୋଜଗାର ଗ୍ୟାରେଂଟିର ପ୍ରତିଶ୍ରୁତି ।
୮ – ନାରୀ ନ୍ୟାୟରେ ମହାଲକ୍ଷ୍ମୀ ଗ୍ୟାରେଂଟି ଆଧାରରେ ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ସମେତ ଅନେକ ପ୍ରତିଶ୍ରୁତି ଦିଆଯାଇଛି ।
୯ – ଗତ ୧୦ ବର୍ଷରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ କରାଯିବ ।
୧୦ – କଂଗ୍ରେସ ପ୍ରତିଶ୍ରୁତି ଦେଇଛି, ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ସହ ବିଚାର ବିମର୍ଶ କରି ରାଷ୍ଟ୍ରୀୟ ନ୍ୟାୟିକ ଆୟୋଗ ଗଠନ କରାଯିବ ।