ଥିଲେ ଦୁଇ ବନ୍ଧୁ, ଆଜି ପରସ୍ପର ପ୍ରତିଦ୍ୱନ୍ଦ୍ୱୀ; ପ୍ରତାପ ନା ଲେଖାଶ୍ରୀ କାହାକୁ ଗ୍ରହଣ କରିବେ ବାଲେଶ୍ୱର ସଂସଦୀୟ କ୍ଷେତ୍ରବାସୀ


ଭୁବନେଶ୍ୱର: ଥିଲେ ଦୁଇ ବନ୍ଧୁ । ପରସ୍ପରକୁ ବେଶ ସମ୍ମାନ ଏବଂ ଶ୍ରଦ୍ଧା କରୁଥିଲେ । ଗୋଟିଏ ଦଳ ପାଇଁ କାମ କରୁଥିଲେ ଏବଂ ଏକାଠି ନିର୍ବାଚନ ପ୍ରଚାର ମଧ୍ୟ କରୁଥିଲେ । କିନ୍ତୁ ଏବେ ସେମାନେ ଦୁଇ ପ୍ରତିଦ୍ୱନ୍ଦ୍ୱୀ । ପରସ୍ପରକୁ ଶାଣିତ ସ୍ୱରରେ କରିବେ ଟାର୍ଗେଟ୍ । ଶବ୍ଦ ବାଣରେ ଦୁଇ ନେତା ପରସ୍ପରକୁ ଘାଇଲା କରିବେ ଏବଂ ନିଜ ସପକ୍ଷରେ ଭୋଟ୍ ଟାଣିବାକୁ ଯଥା ସମ୍ଭବ ଉଦ୍ୟମ କରିବେ । ଆମେ କହୁଛୁ ପ୍ରତାପ ଷଡଙ୍ଗୀ ଏବଂ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ କଥା । ବାଲେଶ୍ୱର ରାଜନୈତିକ ଅଖାଡାରେ ଏବେ ସାମ୍ନା ସାମ୍ନି ଦୁଇ ନେତା । ଦିନ ଥିଲା ବିଜେପି ପାଇଁ ଏକାଠି ପ୍ରଚାର କରୁଥିବା ଷଡଙ୍ଗୀ ଏବଂ ଲେଖାଶ୍ରୀ ଏବେ ପାଲଟିଛନ୍ତି ଦୁଇ ରାଜନୈତିକ ବିରୋଧୀ ନେତା । ବହୁ ବିଚାର ବିମର୍ଶ ପରେ ବିଜୁ ଜନତା ଦଳ ଗତକାଲି ବାଲେଶ୍ୱର ଲୋକସଭା ସିଟରୁ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ପ୍ରାର୍ଥୀ କରିଛି । ଫଳରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ପ୍ରତାପ ବନାମ ଲେଖାଶ୍ରୀଙ୍କ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି ।

ନିକଟରେ ନିଜର ଅସନ୍ତୋଷ ଜାହିର କରି ବିଜେପି ଛାଡିଥିଲେ ଲେଖାଶ୍ରୀ ସାମନ୍ତ ସିଂହାର । ସେ କହିଥିଲେ ମୋର ଦକ୍ଷତା ଅନୁସାରେ ମୁଁ ଦୀର୍ଘ ୧୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ପାଇଁ କାର୍ଯ୍ୟ କରିଛି । ଓଡିଶାବାସୀଙ୍କ ସେବା କରିବା ପାଇଁ ମୋର ଯେଉଁ ବୃହତ ଇଚ୍ଛା ଥିଲା ତାହା ବିଜେପି ପୂରଣ କରି ପାରିଲା ନାହିଁ । କଠିନ ପରିଶ୍ରମ କରିବା ସତ୍ୱେ ମୁଁ ଦଳୀୟ ନେତୃତ୍ୱଙ୍କ ନିକଟରେ ଆସ୍ଥାଭାଜନ ହୋଇ ପାରିଲି ନାହିଁ । କୌଣସି କାରଣରୁ ସେମାନେ ମୋ ଉପରେ ଭରସା କରି ପାରିଲେ ନାହିଁ । ତେଣୁ ବିଜେପିରେ ମୋର ଆଉ କୌଣସି ଆବଶ୍ୟକତା ନ ଥିବା ଅନୁଭବ କଲି । ଆଗକୁ ବଢିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ମୁଁ ବିଜେପି ଛାଡି ବିଜେଡିରେ ମିଶିବାକୁ ନିଷ୍ପତି ନେଲି ।

ଆଉ ବିଜେଡିରେ ମିଶିବା ପରେ ପୁରସ୍କାର ସ୍ୱରୂପ ତାଙ୍କୁ ଦଳ ବାଲେଶ୍ୱର ଲୋକସଭା ସିଟରୁ ଟିକେଟ୍ ଦେଇଛି । ଅନ୍ୟପଟେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ପୁଣି ଥରେ ରିପିଟ୍ କରିଛି । ବାଲେଶ୍ୱର ଜିଲ୍ଲାର ଜଣେ ଟାଣୁଆ ନେତା ହେଉଛନ୍ତି ପ୍ରତାପ ଷଡଙ୍ଗ । ପ୍ରତି ନିର୍ବାଚନରେ ମଧ୍ୟ ଏହା ପ୍ରମାଣିତ କରିଛନ୍ତି । ୨୦୧୯ରେ ପ୍ରତାପ ଷଡଙ୍ଗୀ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ପରାସ୍ତ କରି ବାଲେଶ୍ୱର ଗଡ ଦଖଲ କରିଥିଲେ । ସେ ନୀଳଗିରିରୁ ୨୦୦୪ ଓ ୨୦୦୯ରେ ଦୁଇ ଥର ନିର୍ବାଚନ ଜିତିଥିଲେ । ରାଜ୍ୟ ବିଜେପିର ପତିଆରା ନେତା ମଧ୍ୟ । ତୃଣମୂଳସ୍ତରରେ ପ୍ରତାପ ଲୋକଙ୍କ ସହ ମିଶି ଆସିଛନ୍ତି । ନିଜର ନମ୍ର ଏବଂ ସଚ୍ଚୋଟତା ପାଇଁ କେବଳ ରାଜ୍ୟ ନୁହେଁ ଜାତୀୟସ୍ତରରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି ।

ଅନ୍ୟପଟେ ଲେଖାଶ୍ରୀ ବିଜେପିର ପ୍ରମୁଖ ମୁଖପାତ୍ରଙ୍କ ମଧ୍ୟରୁ ଜଣେ ଥିଲେ । ସେ ଦଳର ପ୍ରତିଟି ଆନ୍ଦୋଳନରେ ଆଗରେ ରହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାରେ ପଛଘୁଂଚା ଦେଉ ନ ଥିଲେ । ବିଜେପି ପକ୍ଷରୁ ଯଦି କୌଣସି ନେତା ବିଜେଡିକୁ ଅଧିକ ଟାର୍ଗେଟ୍ କରୁଥିଲେ ସେ ହେଉଛନ୍ତି ଲେଖାଶ୍ରୀ । କିନ୍ତୁ ରାଜନୀତିରେ କେହି ଚିର ଦିନ ପାଇଁ ଶତ୍ରୁ କିମ୍ବା ମିତ୍ର ନ ଥାନ୍ତି । ସେହି ଆଧାରରେ ଲେଖାଶ୍ରୀ ବର୍ତମାନ ବିଜେଡିର ଏବଂ ବାଲେଶ୍ୱରରୁ ପ୍ରାର୍ଥୀ । ଜଣେ ଚତୁର ପ୍ରବକ୍ତା ମଧ୍ୟ ସେ । ବର୍ତମାନର ରାଜନୈତିକ ପରିଦୃଶ୍ୟକୁ ଦେଖିଲେ ବାଲେଶ୍ୱରରେ ପ୍ରତାପଙ୍କ ପଲ୍ଲା ଭାରି ରହିଛି ।

ବାଲେଶ୍ୱର ଲୋକସଭା ସିଟ୍ ଏମିତି ଏକ ସଂସଦୀୟ କ୍ଷେତ୍ର ଯେଉଁଠି ଜନତା ପ୍ରତି ୫ ଏବଂ ୧୦ ବର୍ଷରେ ପୁରୁଣା ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରି ଆସିଛନ୍ତି । ଏହି ସିଟରେ ସିପିଏମ, କଂଗ୍ରେସ, ଜନତା ଦଳ, ବିଜେପି ଏବଂ ବିଜେଡିର ନେତା ମାନେ ନିର୍ବାଚନ ଜିତିଛନ୍ତି । ଗତ ଦୁଇ ଦଶନ୍ଧିର ନିର୍ବାଚନ ଉପରେ ନଜର ପକାଇଲେ ୧୯୯୮, ୧୯୯୯ ଏବଂ ୨୦୦୪ ନିର୍ବାଚନରେ ବିଜେପି ନେତା ଐରଖାରବେଳ ସ୍ୱାଇଁ ଜିତିଥିଲେ । ୨୦୦୯ରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ସଂସଦକୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ ପ୍ରଥମ ଥର ବିଜେଡି ଏହି ଆସନ ଦଖଲ କରିବାରେ ସକ୍ଷମ ହୋଇଥିଲା । ରବୀନ୍ଦ୍ର ଜେନା କଂଗ୍ରେସ ନେତା ଶ୍ରୀକାନ୍ତଙ୍କୁ ହରାଇ ସଂସଦକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ରେ ପୁଣି ଥରେ ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରି ଏହି ଆସନକୁ ନିଜ ଅକ୍ତିକାରକୁ ଆଣିଥିଲା । ଆଉ ଏବେ ୨୦୨୪ରେ ବିଜେପି ଓ ବିଜେଡି ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି । ଦେଖିବାକୁ ବାକି ରହିଲା ଜନତା ପ୍ରତାପ ଷଡଙ୍ଗୀ ନା ଲେଖାଶ୍ରୀଙ୍କୁ ଗ୍ରହଣ କରୁଛନ୍ତି ।