Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦ୍ମ ଧରିଲେ କାରଖାନାର ୨ ଯା’, ବିଜେପିରେ କଣ ନେତା ଓ କର୍ମୀଙ୍କ ଅଭାବ ପଡିଲା କି ?

ଭୁୁବନେଶ୍ୱର: ନିର୍ବାଚନ ଋତୁ ପାଖେଇଲେ ଆରମ୍ଭ ହୋଇଯାଏ ଦଳ ଡିଆଁ ପର୍ବ । ଆଉ ୨୦୨୪ ନିର୍ବାଚନରେ ଓଡିଶାରେ ଯେଉଁଭଳି ନେତା ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି ତାହା ସବୁ ରେକର୍ଡ ଭାଙ୍ଗି ଦେଇଛି । ତେବେ ଗତକାଲି ବିଜେପିରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାଜଧାନୀରେ କାରରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଜଣ ମହିଳା ବିଜେପିରେ ସାମିଲ ହୋଇଛନ୍ତି । ସାଧାରଣତଃ ନେତା ଓ କର୍ମୀଙ୍କୁ ଦଳରେ ଯୋଗ ଦେଉଥିବା ଦେଖିବାକୁ ମିଳେ । ଏହି ଦୁଇ ମହିଳାଙ୍କ ବିଜେପିରେ ସାମିଲ ହେବା ପରେ ଏହି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିଛି ଯେ, କଣ ବିଜେପିରେ ନେତା ଓ କର୍ମୀଙ୍କ ଅଭାବ ପଡିଲା ଯେ, ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହୁଥିବା ଲୋକଙ୍କୁ ଆଣି ଦଳରେ ମିଶାଉଛି ।

ରାଜଧାନୀ ଭୁବନେଶ୍ୱରରେ କାର୍‌ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯା’ ନେହା ପାଣିଗ୍ରାହୀ ଏବଂ ରଶ୍ମିତା ଦାସ ଗତକାଲି ବିଜେପିରେ ସାମିଲ ହୋଇଛନ୍ତି। ଏଣିକି କାର-ଖାନାରେ ହେବ ବିଜେପିର ପ୍ରଚାର। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, ବସନ୍ତ ପଣ୍ଡା ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଉଭୟ ପଦ୍ମ ଧରିଛନ୍ତି। ବିଜେପିରେ ସାମିଲ ହେବା ପରେ ନେହା କହିଛନ୍ତି ତାଙ୍କର ପିଲାଟି ଦିନରୁ ରାଜନୀତି ପ୍ରତି ଦୁର୍ବଳତା ଥିଲା। ତାଙ୍କ ମା’ ରାଜନୀତିରେ ଜଡ଼ିତ ଥିଲେ। କିନ୍ତୁ ସେ କୌଣସି ଦଳରେ ନଥିଲେ। ଆଜି ତାଙ୍କ ମା’ଙ୍କ ସ୍ୱପ୍ନ ପୁରଣ ହୋଇଛି।

ଏମିତି ସୋସିଆଲ ମିଡିଆ ବ୍ୟକ୍ତିତ୍ୱଙ୍କୁ ଦଳରେ ସାମିଲ୍ କରାଯିବାକୁ ଅନେକ ପସନ୍ଦ କରି ନାହାନ୍ତି । କିଛି ଲୋକେ ଏହା ମଧ୍ୟ କହୁଛନ୍ତି ଯେ, କଣ ଦଳର ସଦସ୍ୟ ହେବା ପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ଡ ହୋଇଗଲେ ଯଥେଷ୍ଟ । ଏହା ମଧ୍ୟ କହୁଛନ୍ତି ବିଜେପି ବୋଧହୁଏ ପ୍ରାର୍ଥୀ ମିଳୁନାହାନ୍ତି ଯେ, କାର-ଖାନାକୁ ନେଇ ଚର୍ଚ୍ଚାରେ ଥିବା ନେହା ପାଣିଗ୍ରାହୀ ଏବଂ ରଶ୍ମିତା ଦାସଙ୍କୁ ଦଳରେ ସାମିଲ କରାଇଛି । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଅନ୍ୟପଟେ ବିଜେଡି ଗତକାଲି କଟାକ୍ଷ କରିଥିଲା ଯେ, ବିଜେପିକୁ ନେତା ମିଳୁନାହାନ୍ତି ଯେ, ଆମ ଦଳର ନେତାଙ୍କୁ ନେଇ ପ୍ରାର୍ଥୀ କରୁଛି । ଉଲ୍ଲେଖନୀୟ ବିଗତ ଦୁଇ ମାସରେ ବିଜେପିରେ ଅନେକ ବିଧାୟକ ଓ ସାଂସଦ ସହ ପୂର୍ବତନ ବରିଷ୍ଠ ନେତା ସାମିଲ ହୋଇଛନ୍ତି ।