୩ ବିଧାୟକଙ୍କ ଟିକେଟ୍ କାଟିଲା ବିଜେଡି, ସମୀର ଦାସ ନିରାଶ


ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ପଂଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରିଛି । ନଅ ଜଣିଆ ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ରହିଛି । ନବୀନ କଂଟାବାଞ୍ଜିରୁ ନିର୍ବାଚନ ଲଢୁଥିବା ବେଳେ ସମ୍ବଲପୁର ଓ ରେଢାଖୋଲରେ ସିଟ୍ ଅଦଳ ବଦଳ ହୋଇଛି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢାଖୋଲରେ ପ୍ରାର୍ଥୀ କରାଯାଇଥିବା ବେଳେ ରୋହିତ ପୂଜାରୀଙ୍କୁ ସମ୍ବଲପୁରୁ ପ୍ରାର୍ଥୀ କରାଯାଇଛି । ଆଜିକୁ ମିଶାଇ ବିଜେଡି ୧୨୬ଟି ଆସନରେ ପ୍ରାର୍ଥୀ ଦେଇଛି । ଆହୁରି ୨୧ ସିଟ୍ ବାକି ରହିଥିବାରୁ ଆଶାୟୀଙ୍କ ହୃଦକମ୍ପନ ଆରମ୍ଭ ହୋଇ ଯାଇଛି । ତେବେ ଆଜିର ଟିକେଟ୍ ଘୋଷଣାରେ ୩ ଜଣ ବିଧାୟକଙ୍କ ଟିକେଟ୍ କାଟିଛି ଦଳ । ଆଉ ଏଥିରେ ବଡ ନାଁ ରହିଛି ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କର ।

ନିମାପଡାରୁ ଲଗାତାର ତିନି ଥର ନିର୍ବାଚନ ଜିତି ଗଣଶିକ୍ଷା ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳି ସାରିଥିବା ସମୀର ମହାନ୍ତିଙ୍କୁ ଏଥର ଟିକେଟ ଦେଇନି ଦଳ । ଏହି ଆସନରୁ ଦଳ ପ୍ରାର୍ଥୀ ବଦଳାଇ ସମୀରଙ୍କ ଜାଗାରେ ଦିଲୀପ ନାୟକଙ୍କୁ ଟିକେଟ୍ ଦେଇଛି । ଏଠାରୁ ସମୀର ୨୦୦୯, ୨୦୧୪ ଏବଂ ୨୦୧୯ରେ ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ । ଆଉ ସମୀର ହିଁ ପ୍ରଥମ ଥର ନିମାପଡାରେ ବିଜେଡିର ବିଜୟ ବାନା ଉଡାଇଥିଲେ । କିନ୍ତୁ ଦଳ ତାଙ୍କୁ ପ୍ରାର୍ଥୀ କରିନି ।

ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ କିଶୋର ନାୟକଙ୍କୁ ଟିକେଟ୍ ଦେଲାନି ବିଜେଡି । କିଶୋରଙ୍କ ଜାଗାରେ ରାଜେନ୍ଦ୍ର ଛତ୍ରିଆଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଉଲ୍ଲେଖନୀୟ ଗତ ନିର୍ବାଚନରେ ହିଁ କିଶୋର ନାୟକଙ୍କୁ ପ୍ରାର୍ଥୀ କରି ପ୍ରଥମ ଥର କୁଚିଣ୍ଡାରେ ବିଜେଡି ବିଜୟ ଲାଭ କରିଥିଲା । କିନ୍ତୁ ଦଳ ଏଥର ରାଜେନ୍ଦ୍ରଙ୍କ ଉପରେ ଭରସା ପ୍ରକଟ କରିଛି । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ମଧ୍ୟ ଟିକେଟ୍ କାଟିଛି ଦଳ । ତାଙ୍କ ସ୍ଥାନରେ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି । ୨୦୧୪ରେ ବିଜୟୀ ଡମ୍ବରୁ ସିସାଙ୍କୁ ଦଳ ୨୦୧୯ରେ ଟିକେଟ୍ ଦେଇ ନ ଥିଲା ।