Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୧ ମାସ ପରେ ଜଙ୍ଗଲ ରୁ ମିଳିଲା ନିଖୋଜ ବିଦ୍ୟୁତ କର୍ମଚାରୀଙ୍କ ହାଡ଼, ଗଛ ଡାଳରେ ବନ୍ଧା ଯାଇଛି ସାର୍ଟ, ତଳେ ପଡି ରହିଛି ବ୍ୟାଗ ଓ ପରିଚୟ ପତ୍ର, ମାଟି ଭିତରୁ ମିଳିଲା ମୋବାଇଲ ଫୋନ

ଖଲ୍ଲିକୋଟ–୧୪/୦୪–ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୋମଣ୍ଡ ଗ୍ରାମର ଜଣେ ଟାଟା କମ୍ପାନୀ ବିଦ୍ୟୁତ କର୍ମଚାରୀ ନିଖୋଜ ହେବାର ୧୧ ମାସ ପରେ ଆଜି ବାଣିଆ ନିକଟସ୍ଥ କାଜୁ ଜଙ୍ଗଲ ରୁ ଅସ୍ଥି ମିଳିଛି ।ଗଛ ଡାଳରେ ତାଙ୍କର ପିନ୍ଧା ସାର୍ଟ ବନ୍ଧା ଯାଇଥିବା ବେଳେ ଗଛ ତଳେ ବ୍ୟାଗ ଓ ପରିଚୟ ପତ୍ର ପଡି ରହିଥିଲା । କୋମଣ୍ଡ ଗ୍ରାମର ମିଟୁ ବେହେରା(୩୦) ରମ୍ଭା ଟିପିଏସଓ ଡିଏଲ କାର୍ଯ୍ୟାଳୟ ରେ ହେଲ୍ପର ଭାବେ କାର୍ଯ୍ୟ କରୁଥିଲେ ।ଗତ ବର୍ଷ ମେ ମାସ ୩୦ ତାରିଖ ସାବିତ୍ରୀ ଅମାବାସ୍ୟା ରେ ଘରକୁ ଆସି ତାପର ଦିନ ରମ୍ଭା କାର୍ଯ୍ୟାଳୟ କୁ ଯାଉଛି ବୋଲି କହି ମିଟୁ ଘରୁ ବାହାରି ଥିଲେ ।ତିନି ଦିନ ଧରି ଘରକୁ ନ ଫେରିବା ପରେ ପରିବାର ଲୋକେ ମୋବାଇଲ କୁ ଫୋନ କରିଥିଲେ ।ତେବେ ଫୋନ ସୁଇଚ ଅଫ ଆସିଥିଲା ।ଏହାପରେ ରମ୍ଭା ଟିପିଏସ ଓଡିଏଲ ର ସୁପରଭାଇଜର କୁ ଯୋଗାଯୋଗ କରିବା ପରେ ମିଟୁ ରମ୍ଭା ରେ ପହଞ୍ଚି ନ ଥିବା ଜାଣିବାକୁ ପାଇଥିଲେ ।ମିଟୁ ଙ୍କ ନିଖୋଜ ସମ୍ପର୍କରେ ରମ୍ଭା ଥାନାରେ ଜଣାଇବା ପରେ ଥାନା କେସ ନମ୍ବର ୨୦/୨୦୨୨ ଅନୁଯାୟୀ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲେ ଥାନା ଅଧିକାରୀ ପି. ସ୍ୱରୂପ କିଷାନ ।ତେବେ ଏ ନେଇ ଗାଁ ଲୋକେ ଖୋଜାଖୋଜି କରୁଥିବା ବେଳେ ବାଣିଆ ନିକଟସ୍ଥ ଏକ କାଜୁ ଜଙ୍ଗଲ ମଧ୍ୟରେ ମିଟୁ ଙ୍କ ବାଇକ ଥିବା ଦେଖିବାକୁ ପାଇଥିଲେ ।ଏ ନେଇ ରମ୍ଭା ଥାନାକୁ ଖବର ଦେବା ପରେ ଥାନା କର୍ମଚାରୀ ଆସି ବାଇକ ଉଦ୍ଧାର କରି ଥାନାକୁ ନେଇଥିଲେ ।ତେବେ ବାଇକ ମିଳିଥିବା ବେଳେ ସେହି ସ୍ଥାନରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ମିଟୁ ର କୌଣସି ସନ୍ଧାନ ମିଳି ପାରି ନ ଥିଲା ।ପରବର୍ତ୍ତୀ ସମୟରେ ପରିବାର ଲୋକ ଙ୍କ ଅଭିଯୋଗ ଅନୁଯାୟୀ ରମ୍ଭା ଥାନା କେସ ନମ୍ବର ୪୧୪/୨୦୨୨ ରେ ଏକ ଅପହରଣ ମାମଲା ରୁଜ୍ଜୁ ହୋଇଥିଲା ।ତେବେ କାଜୁ ଜଙ୍ଗଲ ଲିଜ ନେଇଥିବା ବ୍ୟକ୍ତି ଆଜି କିଛି ଶ୍ରମିକ ଙ୍କୁ ନେଇ ଜଙ୍ଗଲ ଉପରକୁ ଯାଇଥିବା ବେଳେ ସେଠାରେ କିଛି ମଣିଷ ହାଡ଼ ପଡିଥିବା ଦେଖିବାକୁ ପାଇଥିଲେ ।ଏହାପରେ ଖବର ପାଇ ରମ୍ଭା ଥାନା ଅଧିକାରୀ ପି. ସ୍ୱରୂପ କିଷାନ ଏବଂ ଖଲ୍ଲିକୋଟ ଥାନା ର ଏସ ଆଇ ପାର୍ଥ ସାରଥି ଦେବତା ସାଇଣ୍ଟିଫିକ ଟିମ ସହ ଜଙ୍ଗଲ ଉପରକୁ ଯାଇ ଘଟଣା ସ୍ଥଳରେ ତନ୍ନତନ୍ନ କରି ଯାଞ୍ଚ କରିଥିଲେ ।ମୃତ୍ୟୁ ର ୧୧ ମାସ ବିତି ଯାଇଥିବାରୁ ମୃତଦେହ ପୁରା ମାଟିରେ ମିଶି ଯାଇଛି ।କେବଳ ଗୋଡ଼ ହାଡ଼ ଓ ଥୋଡି ର ହାଡ଼ କୁ ଜବତ କରି ଏଫ ଏମ୍ ଟି କୁ ପଠାଇଛି ପୋଲିସ ।ବ୍ୟାଗ ଓ ପରିଚୟ ପତ୍ର ପଡିଥିବା ବେଳେ ଗଛ ଡାଳରେ ସାର୍ଟ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା ।ମାଟି ତଳେ ପୋତି ହୋଇ ପଡ଼ିଥିବା ମୋବାଇଲ ଫୋନ କୁ ଉଦ୍ଧାର କରାଯାଇଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ କେସ ନମ୍ବର ୮/୨୦୨୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories