ନୂଆଦିଲ୍ଲୀ: ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଣ୍ଡିଖୋଲ ଗସ୍ତ ପରେ ଓଡିଶାରେ ବିଜେପି ଓ ବିଜେଡି ମେଂଟ ଚର୍ଚ୍ଚା ଲାଗି ରହିଥିଲା । ପାଖାପାଖି ମାସେ ଯାଏଁ ଦୁଇ ଦଳରେ ମେଂଟ ନେଇ ମାନସ ମନ୍ଥନ ଚାଲିଲା । କିନ୍ତୁ ପରବର୍ତୀ ସମୟରେ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ । ଏଥିସହ ମେଂଟ ଚର୍ଚ୍ଚା ଉପରେ ବିରାମ ଲାଗିଥିଲା । ତେବେ ଓଡିଶାରେ ଦୁଇ ଦଳ ମଧ୍ୟରେ ମେଂଟ କାହିଁକି ହେଲାନି ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହାର କାରଣ କହିଛନ୍ତି ଅମିତ୍ ଶାହ ।
ସେ କହିଛନ୍ତି, ବିଜେଡି ଓ ବିଜେପି ମଧ୍ୟରେ ମେଂଟ ଆଲୋଚନା ବିଫଳ ହୋଇଥିଲା । ବହୁ ବିଚାର ବିମର୍ଶ ପରେ ଦୁଇ ଦଳ ପୃଥକ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତି ନେଇଥିଲେ । ଓଡିଶାର ଅସ୍ମିତା, ସଂସ୍କୃତିକୁ ବିଜେପି ଏକା ଲଢିବା ଉଚିତ୍ ବୋଲି ଦଳର ନେତା ଓ କର୍ମୀ ବିଶ୍ୱାସ କରୁଥିଲେ । ତେଣୁ ସେମାନଙ୍କର ବିଶ୍ୱାସ ପାଇଁ ରାଜ୍ୟରେ ବିଜେପି ଏକା ଲଢିବ ବୋଲି ନିଷ୍ପତି ନିଆଗଲା ।
ଶାହ ଏହା ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜ୍ୟର ବିକାଶକୁ ଆହୁରି ଗତି ଦେବା ପାଇଁ ଆମେ ଓଡିଶା ଜନସାଧାରଣକୁ ଅନୁରୋଧ କରୁଛୁ । ଯେଉଁସବୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଜିତିଛନ୍ତି, ସେଠାରେ ଅଭିବୃଦ୍ଧି ହାର ଆଶାତୀତ ରହିଛି । ତେଣୁ ଓଡିଶାବାସୀ ବିଜେପିକୁ ଆଗାମୀ ନିର୍ବାଚନରେ ବିପୁଳ ପରିମାଣରେ ଭୋଟ୍ ଦିଅନ୍ତୁ ।
ସୂଚନାଯୋଗ୍ୟ, ମେଂଟ ବିଫଳ ହେବା ପରେ ବିଜେପି ନେତାମାନେ ବେଶ ଖୁସି ପ୍ରକାଶ କରିଥିଲେ । ଏପରି ରାଜ୍ୟ କାର୍ଯ୍ୟାଳୟରେ ଉତ୍ସବ ମଧ୍ୟ ମନାଇଥିଲେ । କାରଣ ମେଂଟ ହୋଇଥିଲେ ଦୁଇ ଦଳର ଅନେକ ନେତାଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇ ଯାଇଥାନ୍ତା ।