ଆସନ୍ତା ୨୮ରେ ଓଡିଶା ଆସିବେ ଜେପି ନଡ୍ଡା, ପ୍ରଚାର ସହ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର


ଭୁବନେଶ୍ୱର: ଓଡିଶାରେ ପାରଦ ସହ ନିର୍ବାଚନୀ ତାତି ମଧ୍ୟ ଚରମରେ ରହିଛି । ନିର୍ବାଚନୀ ପ୍ରଚାର ପାଇଁ ଏବେ ଓଡିଶାକୁ କେନ୍ଦ୍ରୀୟ ନେତାଙ୍କ ସୂଅ ଛୁଟିବାକୁ ଯାଉଛି । ଏହିକ୍ରମ ଗୃହମନ୍ତ୍ରୀ ଅମିତ ଶାହଙ୍କ ସୋନପୁର ଗସ୍ତ ପରେ ଆସନ୍ତା ୨୮ ତାରିଖରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ନେତା ସମୀର ମହାନ୍ତି ।

ଜେଡି ନଡ୍ଡା ଦିନିକିଆ ଓଡିଶା ଗସ୍ତରେ ଆସି ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହା ପରେ ସେଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକରେ ନିର୍ବାଚନୀ ରଣନୀତିର ସମୀକ୍ଷା କରିବା ସହିତ ଗୁରୁମନ୍ତ୍ର ଦେବେ । ତା ପରେ ନବରଙ୍ଗପୁର ଯିବେ ନଡ୍ଡା । ସେଠାରେ କାର୍ଯ୍ୟକର୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟ ଓଡିଶାରେ ପ୍ରଚାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସି ସୋନପୁରରେ ବିଶାଳ ସମାବେଶରେ ବିଜେପିର ନିର୍ବାଚନୀ ପ୍ରଚାରର ବିଗୁଲି ଫୁଙ୍କିଥିଲେ । ସେ ବିଜେଡି ସରକାରଙ୍କୁ ଶାଣିତ ସ୍ୱରରେ ଟାର୍ଗେଟ୍ କରିବା ସହ ଏମିତି ସରକାର ଓପାଡି ଫିଙ୍ଗିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ । ବିଜେଡିକୁ ୨୫ ବର୍ଷ ଦେଲେ ବିଜେପିକୁ ଥରୁଟିଏ ୫ ବର୍ଷ ଦିଅନ୍ତୁ ବୋଲି ଅପିଲ୍ କରିଥିଲେ । ବିଜେପି ସରକାର ଗଢିଲେ ରାଜ୍ୟରୁ ଦାଦନ ସମସ୍ୟା ଦୂର ହେବ ବୋଲି ଶାହ କହିଥିଲେ । ଏହା ପରେ ଭୁବନେଶ୍ୱରରେ ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରି ଗୁରୁମନ୍ତ୍ର ଦେଇଥିଲେ ।