Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଟଙ୍ଗାରେ ରାମ ଲାଲାଙ୍କ ବିବାହ ଉତ୍ସବ ଅନୁଷ୍ଠିତ

ବେଲଗୁଣ୍ଠା,26/04, ଆଜି ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନେଟଙ୍ଗା ଗ୍ରାମରେ ଭଞ୍ଜ ବଂଶୀୟ ପ୍ରତିଷ୍ଠିତ ପ୍ରାୟ ୪୦୦ ଶହ ବର୍ଷ ତଳର ବହୁ ପୁରାତନ ଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିରରେ ଶ୍ରୀ ରାମ ଲାଲାଙ୍କ ପବିତ୍ର ବିବାହ ଉତ୍ସବ ପାଳିତ ହୋଇଯାଇଛି I ରାମ ଲାଲା ଙ୍କ ଏହି ପବିତ୍ର ବିବାହ ଉତ୍ସବ ପାଇଁ ସମସ୍ତ ସେବାୟତ, ଚଷା, ଦିହୁଡିଆ ଓ ପୂଜକ ମାନଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ରାତ୍ରରେ ମନ୍ଦିରର ଯଥା ପୂର୍ବ ରୀତିନୀତି ପାଳନ ପରେ ପ୍ରଭୂ ଶ୍ରୀ ରାମ ଚନ୍ଦ୍ର ଓ ଲକ୍ଷ୍ମଣ ଠାକୁରଙ୍କୁ ବର ବେଶରେ ସଜାଇ ଦାଣ୍ଡ ବୁଲିବା ପାଇଁ ନିଆଯାଇଥିଲା। ପ୍ରଭୁଙ୍କ ଏହି ଦାଣ୍ଡ ବୁଲା ବା ନଗର ଭ୍ରମଣ ଶୋଭା ଯାତ୍ରା ସମୟରେ ବିଭିନ୍ନ ପ୍ରକାରର ପଟୁଆର ଆୟୋଜନ କରାଯାଇଥିଲା। ଏହି ଶୋଭା ଯାତ୍ରା ସମୟ ରେ ନେଟଙ୍ଗା ଗ୍ରାମର ପୁରାତନ ସଂସ୍କୃତି ତଥା ଲୋକକଳାର ପରିଚାୟକ ଗାଁ ଆଖଡ଼ା ଖେଳରେ ଗ୍ରାମ ବାସୀ ନିଜ ନିଜର କଳା କୌଶଳ ପ୍ରଦର୍ଶନ କରିଥିଲେ। ଏଥି ସହିତ ବାଘ ବୃଷଭ ଲୋକନୃତ୍ୟ, ବିରାଟ ବାଣ ପଟୁଆରର ଆୟୋଜନ ମଧ୍ୟ କରାଯାଇଥିଲା। ତାଳ, କିର୍ତ୍ତନ, ଘଣ୍ଟ, କାହାଳୀ, ଶଙ୍ଖନାଦ, ଦକ୍ଷିଣି ବାଦ୍ୟ, ହରିବୋଲ ଓ ହୁଳହୁଳି ଧ୍ବନିରେ ଗାଁ ଦାଣ୍ଡ ଉଛୁଳି ପଡୁଥିଲା I ନେଟଙ୍ଗା ଗ୍ରାମର ସମସ୍ତ ଜନସାଧାରଣ ତଥା ଆଖପାଖ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ମାନେ ଏହି ଭବ୍ୟ ଉତ୍ସବରେ ଉପସ୍ଥିତ ରହି ଭରପୁର ଆନନ୍ଦ ଉଠାଇଥିଲେ। ଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିର ଓ ଗାଁ ଦାଣ୍ଡର ସୁସଜ୍ଜିତ ଆଲୋକସଜ୍ଜା , ବାନା ପତାକା ମାଳ ଓ ବିଭିନ୍ନ ପ୍ରକାରର ସାଜସଜ୍ଜା ଏହି କାର୍ଯ୍ୟକ୍ରମ ର ଶୋଭାକୁ ଦ୍ଵିଗୁଣିତ କରୁଥିଲା। ଶ୍ରୀ ରାମ ଲାଲାଙ୍କ ଦାଣ୍ଡ ବୁଲା କାର୍ଯ୍ୟକ୍ରମ ସରିବା ପରେ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇ ବାଟ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥି ପାଇଁ ମାତା ସୀତାଙ୍କ ପିତା ରାଜର୍ଷି ଜନକଙ୍କ ତରଫରୁ ବାଟ ବରଣର ଆୟୋଜନ କରାଯାଇଥିଲା। ପରେ ଦୁଇ ଠାକୁରଙ୍କୁ ବିବାହ ମଣ୍ଡପକୁ ପାଛୋଟି ନିଆଯାଇଥିଲା। ବ୍ରାହ୍ମଣ, ପୁରୋହିତ, ଭକ୍ତ, ଶ୍ରଦ୍ଧାଳୁ, ପଣ୍ଡିତ ଓ ଦର୍ଶକ ମାନଙ୍କ ଉପସ୍ଥିତି ରେ ମନ୍ତ୍ର, ହୁମ ସହ ଯଥା ପୂର୍ବ ରୀତିନୀତି ଅନୁସାରେ ବର ଓ କନ୍ୟା ପକ୍ଷରୁ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହ ଉତ୍ସବ ପାଳନ ସମୟରେ ବିବାହ ମଣ୍ଡପ ସମ୍ମୁଖରେ ବିଭିନ୍ନ ପ୍ରକାରର ନାଚଗୀତର ଆୟୋଜନ କରାଯାଇଥିଲା। ନିଶାର୍ଦ୍ଧ ରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ ମନ୍ଦିର ପୂଜକ ଓ ସେବକ ମାନେ ଶ୍ରୀ ରାମ ଲାଲା ଏବଂ ମାତା ସୀତା ଠାକୁରାଣୀ ଙ୍କୁ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ଏହି ଭବ୍ୟ ଉତ୍ସବ ରେ ନେଟଙ୍ଗା ଗ୍ରାମରେ ବିଜେ ଶ୍ରୀ ଶ୍ରୀ ରଘୁନାଥ ସ୍ଵାମୀ ପରିଚାଳନା କମିଟି ସଭ୍ୟବୃନ୍ଦ, ଗ୍ରାମବାସୀ, ଉତ୍ସାହୀ ଓ ଆଗ୍ରହୀ ବ୍ୟକ୍ତି ବିଶେଷ ଓ ଯୁବକ ସଂଘ ର ସମସ୍ତ ସ୍ଵେଚ୍ଛାସେବୀ ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ ଓ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ