ହୃଦଘାତରେ ଦଣ୍ଡକାଳୀ ପୁରୋହିତଙ୍କ ଦେହାନ୍ତ


ବେଲଗୁଣ୍ଠା, 27/04,ବେଲଗୁଣ୍ଠା ସ୍ଥିତ ଶାସନ ସାହିର ବହୁଦିନ ଧରି ପୁରୋହିତ ଭାବେ ପ୍ରସିଦ୍ଧି ଅର୍ଜ୍ଜନ କରି ଆସୁଥିବା ନଳିନୀକାନ୍ତ ପତିଙ୍କ ଆଜି ସକାଳ 8 ଘଣ୍ଟା 45 ମିନିଟ୍ ସମୟରେ ହୃଦଘାତରେ ପରଲୋକ ଘଟିଛି I ପୂର୍ବରୁ ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ସେ ହୃଦରୋଗ ବିଶେଷଜ୍ଞଙ୍କ ନିକଟରେ ଚିକିତ୍ସିତ ହେଉଥିଲେ I ଆଜି ସକାଳେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସକାଳ 5 ଘଣ୍ଟା ସମୟରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ 8 ଘଣ୍ଟା 45 ମିନିଟ୍ ସମୟରେ ମୃତ୍ୟୁ ଘଟିଥିଲା I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ଏବଂ ବଡପୁଅ ବୁନା ପତି ଉପସ୍ଥିତ ଥିଲେ I ସାନ ପୁଅ ସମୀର ମୁମ୍ବାଇରେ ରହୁଥିବା ବେଳେ ବାପାଙ୍କ ମୃତ୍ୟୁ ଖବର ପାଇ ଘରକୁ ଫେରୁଥିବା ଜଣାପଡିଛି I ସ୍ଵର୍ଗତ ନଳିନୀକାନ୍ତ ବହୁଦିନ ଧରି ଦଣ୍ଡକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଜଣେ ନୀତିନିଷ୍ଠ ପୁରୋହିତ ଭାବେ ତାଙ୍କର ସୁନାମ ରହିଥିଲା I ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି I ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I