ସ୍ୱପ୍ନର ସମ୍ବଲପୁର ପାଇଁ ବିକାଶ ର ବ୍ଲୁପ୍ରିଣ୍ଟ ଦେଖାଇଲେ ପ୍ରଣବ


ସମ୍ବଲପୁର:ମହାନଦୀରେ ବ୍ୟାରେଜ ନିର୍ମାଣ ହେବ ବୋଲି ଆଜି ବିଜେଡିର କର୍ମୀ ସମ୍ମିଳନରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରତିଶୃତି ଦେଇଛନ୍ତି।ସମ୍ବଲପୁର ସହର ସ୍ଥିତ ପୁରୂଣା ମ୍ୟୁନିସିପାଲଟି ଛକ ନିକଟରେ ବିଜୁ ଜନତା ଦଳ ତରଫରୁ କର୍ମୀ ସମ୍ମିଳନରେ ଏହା କହିଛନ୍ତି ପ୍ରଣବ ପ୍ରକାଶ ଦାଶ।
ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଇଂ.ରୋହିତ ପୂଜାରୀ କର୍ମୀଙ୍କୁ ଦଳର ପ୍ରାର୍ଥୀଙ୍କ ବିଜୟ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ ।ନିଜର ପ୍ରିୟ ନେତାଙ୍କୁ ସର୍ମଥନ ଜଣାଇବା ପାଇଁ ଶହଶହ ସଂଖ୍ୟାରେ କର୍ମୀମାନେ ସମ୍ମିଳନୀରେ ଯୋଗଦେଇଥିଲେ । ସଭାରେ ପ୍ରଣବ ପ୍ରକାଶ ଦାସ ନିଜର ବକ୍ତବ୍ୟ ରଖି କର୍ମୀ ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ । ସମ୍ବଲପୁରବାସୀଙ୍କ ସ୍ୱପ୍ନର ସମ୍ବଲପୁର ଗଢିବାକୁ ବ୍ଲୁପ୍ରିଣ୍ଟ ଦେଖାଇବା ସହିତ ବିକାଶ ବିରୋଧୀଙ୍କୁ ଶାଣିତ ସ୍ୱରରେ ଆକ୍ରମଣ କରିଥିଲେ ।
ସଭାରେ ଉଦବୋଧନ ଦେଇ ଉପସ୍ଥିତ ଥିବା କର୍ମୀ ମାନଙ୍କୁ ନମସ୍କାର ଓ କୃତଜ୍ଞତା ଜଣାଇଥିଲେ ପ୍ରଣବ ପ୍ରକାଶ ଦାସ । ମା ସମଲେଶ୍ୱରୀ ଙ୍କ ମାଟିରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତେ ସୁଯୋଗ ଦେଇଛନ୍ତି । ଏ ମାଟି ପ୍ରତି ମୋର ଅହେତୁକ ଭଲପାଇବା ରହିଛି । ଆପଣ ମାନଙ୍କ ପ୍ରଚେଷ୍ଟା ବିଜେଡି କୁ ଦୃଢ କରିବ । ତେଣୁକରି ପ୍ରତି ଘରକୁ ଯାଇ ବିକାଶର ବାର୍ତ୍ତା ପହଞ୍ଚାନ୍ତୁ ବୋଲି କର୍ମୀମାନଙ୍କୁ ଆହ୍ୱାନ କରିଥିଲେ । ଚାଷୀମାନଙ୍କ ଉଦେ୍ଦଶ୍ୟରେ ସେ କହିଥିଲେ କେନ୍ଦ୍ର ସରକାର ର କୃଷିବୀମା କରିବାକୁ ଚାଷୀ ମାନେ ହଇରାଣ ହେଉଥିଲେ ହେଁ କେନ୍ଦ୍ର ସରକାର ଚାଷୀଙ୍କ କଥା ଶୁଣୁନି । ଏମଏସପି ବୃଦ୍ଧି କରିବା ପାଇଁ ବିଜେଡି ଅନେକ ଥର ସଂଗ୍ରାମ କରିଛି । କିନ୍ତୁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନି । ଆପଣମାନେ ଏଠାରୁ ସାଂସଦ, ବିଧାୟକ ନିର୍ବାଚିତ କରି ପଠାଇଲେ କିନ୍ତୁ ଆପଣଙ୍କ ଅଭାବ ଅସୁବିଧା ସର୍ମ୍ପକରେ ସେମାନେ ଦିନେ ହେଲେବି ସ୍ୱର ଉତ୍ତୋଳନ କଲେ ନାହିଁ । ତେଣୁକରି ଏବେ ସମୟ ଆସିଛି ବିକାଶ ବିରୋଧୀ ଙ୍କୁ ଉଚିତ ଜବାବ ଦେବାକୁ । ଆପଣ ମାନେ ଆଗକୁ ବଢିବେ ମୁଁ ଆପଣଙ୍କ ଢାଳ ହୋଇ ରହିବି ବୋଲି କହିଥିଲେ ପ୍ରଣବ ପ୍ରକାଶ । ସେହିଭଳି ରାଜ୍ୟ ସରକାର କରିଥିବା ଯୋଜନା ସର୍ମ୍ପକରେ ବଖାଣିଥିଲେ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ସେ କହିଥିଲେ ବିକାଶର ନେତୃତ୍ୱ ନେଉଥିବା ଜଣେ ନେତା ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ତୁଚ୍ଛା ଡିଣ୍ଡିମ ପିଟୁଥିବା ଜଣେ ନେତା ମଧ୍ୟ ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ସମ୍ବଲପୁର ର ଦୁଇ ବିକାଶ ବିରୋଧୀ ନେତାଙ୍କ ପାଇଁ ସରକାରୀ ଯୋଜନା ସେଠାରେ ଲାଗୁ ହୋଇପାରୁନାହିଁ । ଶୋଇଥିବା ୨ ନେତାଙ୍କୁ ଜନତା ଭୋଟ ଦେଇଥିଲେ, ସେମାନେ କିଛି କଲେନି । ସମ୍ବଲପୁର ର ରାସ୍ତା ଘାଟ, ପାନୀୟ ଜଳ, ବିଦ୍ୟୁତ, ଡ୍ରେନ କୌଣସି ସମସ୍ୟା ର ସମାଧାନ କରିପାରିଲେ ନାହିଁ ବୋଲି କହିଥିଲେ । ସମ୍ବଲପୁର ଯେଭଳି ଭାବରେ ସମୃଦ୍ଧ ହେବା କଥା ତାହା ହୋଇନାହିଁ ବୋଲି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଥିଲେ । ଯଦି ସମ୍ବଲପୁର ରେ ବିଜେଡି ଆସେ ତାହେଲେ ଏକ ସମୃଦ୍ଧ ସମ୍ବଲପୁର ଗଢିବାକୁ ସରକାରଙ୍କ ଯୋଜନା ରହିଛି । ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ସୁଦୃଢ କରିବାକୁ ଭିମସାର କୁ ୧୦୦୦ କୋଟି ପ୍ରଦାନ କରାଯାଇଥିବାବେଳେ ଆହୁରି ୬୦୦୦ କୋଟି ଟଙ୍କା ପ୍ରଦାନ କରାଯିବ । ସମ୍ବଲପୁର ରେ ଏକ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କରାଯିବ । ମହାନଦୀରେ ବ୍ୟାରେଜ ନିର୍ମାଣ କରାଯିବ ବୋଲି କହିଥିଲେ । ଏହା ସହିତ ସମ୍ବଲପୁର କୁ ଅପରାଧମୁକ୍ତ ଅଞ୍ଚଳ କରିବାକୁ ପଦକ୍ଷେପ ନିଆଯିବ । ସହରର ପ୍ରତିଟି ଗଳିକନ୍ଦିରେ ସିସିଟିଭି କ୍ୟାମେରା ଲଗାଯିବ । ସମସ୍ତ ରାସ୍ତା, ଡ୍ରେନ ନୂଆ କରି ନିର୍ମାଣ କରାଯିବ । ସହରରେ ଥିବା ସମସ୍ତ ପୋଖରୀର ପୁନଃଉଦ୍ଧାର କରାଯିବ । ବର୍ତ୍ତମାନ ସୁଦ୍ଧା ୧୦ ହଜାର ଗରୀବ ପରିବାର ପଟ୍ଟା ପାଇଥିବାବେଳେ ଆହୁରି ୩୦ ହଜାର ପରିବାର ପଟ୍ଟା ପାଇବେ । ଆପଣଙ୍କ ସୁବିଧା ସୁଯୋଗ ପାଇଁ ରାଜ୍ୟ ସରକାର ପ୍ରକାରରେ ସହଯୋଗ କରିବେ । କେବଳ ଆପଣମାନଙ୍କ ଆର୍ଶିବାଦ ଦରକାର ବୋଲି ରୋହିତ ପୂଜାରୀ ନିବେଦନ କରିଥିଲେ । ଏହି କର୍ମୀ ସମ୍ମିଳନୀରେ ଅନ୍ୟତମ ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ,ସିଦ୍ଧାର୍ଥ ସାହାଙ୍କ ସମେତ ବିଜୁ ଜନତା ଦଳର ଜିଲ୍ଲା ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଶହଶହ ସଂଖ୍ୟାରେ କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।