IPL : ଅଷ୍ଟମ ପରାଜୟ, ମଉଳିଲା ମୁମ୍ବାଇର ପ୍ଲେ-ଅଫ୍ ଆଶା


କୋଲକାତା: ମଉଳିଲା ୫ ଥର IPL ଚାମ୍ପିୟନ ମୁମ୍ବାଇର ପ୍ଲେ ଆଫ୍‌ ଆଶା । ଓ୍ବାଙ୍ଖଡେରେ କୋଲକାତାଠାରୁ ୨୪ ରନରେ ପରାସ୍ତା ହେଲା ମୁମ୍ବାଇ ଇଣ୍ଡିଆନ୍ସ । ୧୧ ମ୍ୟାଚରୁ ଏହା ଥିଲା ମୁମ୍ବାଇର ୮ମ ପରାଜୟ । ଏହି ପରାଜୟ ପରେ ମୁମ୍ବାଇ ପଏଣ୍ଟ ଟେବୁଲର ୯ମ ସ୍ଥାନକୁ ଖସି ଆସିଛି । ଅନ୍ୟପକ୍ଷେ ବିଜୟ ସହ ପୂର୍ବଭଳି କୋଲକାତା ନାଇଟ୍ ରାଇଡର୍ସ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ।

ଗତକାଲି ଖେଳା ଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୦ ରନର ଟାର୍ଗେଟ ଦେଇଥିଲା କୋଲକାତା । ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ମାତ୍ର ୫୭ ରନରେ ୫ ୱିକେଟ ହରାଇ ଥିଲା । ହେଲେ ଭେଙ୍କଟେଶ ଆୟର ଓ ମନିଶ ପାଣ୍ଡେ ଦୃଢ଼ ବ୍ୟାଟିଂ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ । ଉଭୟ ଯଥାକ୍ରମେ ୭୦ (୫୨) ଓ ୪୨ (୩୧) ରନ୍ କରିଥିଲେ । ଗୋଟିଏ ବଲ୍ ବାକି ଥିବାବେଳେ ୧୬୯ ରନ୍ କରି କୋଲକାତା ଅଲ୍ ଆଉଟ୍ ହୋଇଯାଇଥିଲା ।

୧୭୦ ରନର ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ୬୧ ରନରେ ଦଳ ୪ଟି ୱିକେଟ ହରାଇଥିଲା । ତେବେ ଗୋଟିଏ ପଟେ ସୂର୍ଯ୍ୟକୁମାର ଯାଦବ ବିଜୟୀ ଆଶା ଉଜ୍ଜୀବିତ ରଖିଥିଲେ । ସତର୍କତାର ସହ ଖେଳୁଥିବା ସୂର୍ଯ୍ୟକୁମାର ୩୫ ବଲରେ ୫୬ ରନ କରି ୧୫ତମ ଓଭରରେ ସୁନୀଲ ନାୟରଙ୍କ ଶିକାର ହୋଇଥିଲେ । ସୂର୍ଯ୍ୟକୁମାରଙ୍କ ଓ୍ବିକେଟ ପତନ ପରେ ପୁଣି ଥରେ ମୁମ୍ବାଇର ବିଜୟ ଆଶା ମଉଳି ଯାଇଥିଲା । ଅନ୍ୟମାନେ ଓଭର ଶେଷ ପର୍ଯ୍ୟନ୍ତ ମଧ୍ୟ ଖେଳି ପାରିନଥିଲେ ।  ୧୮.୫ ଓଭରରେ ଦଳ ସମସ୍ତ ୱିକେଟ ହରାଇ ୧୪୫ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । କୋଲକାତାର ଭେଙ୍କଟେଶ ଆୟର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।