ପ୍ରଣବଙ୍କ ମାରାଥନ ପ୍ରଚାର:ଲୋକଙ୍କୁ ମିଶିଲେ, ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ


ସମ୍ବଲପୁର ; ଶନିବାର ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲିବୁଲି ମାରାଥନ ପ୍ରଚାର କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଏହି ଅବସରରେ ସେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିଥିଲେ । ସେମାନଙ୍କ ସହିତ ଆଲେଚନା କରି ସମ୍ବଲପୁରରେ କଣ ସବୁ ସମସ୍ୟା ରହିଛି ପଚାରି ବୁଝିଥିଲେ । ଜନତାଙ୍କ ଆର୍ଶୀବାଦ ରହିଲେ ସମସ୍ତ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେଇ ଏକ ସମୃଦ୍ଧ ସମ୍ବଲପୁର ଗଢିବାକୁ ପ୍ରତିଶୃତି ଦେଇଥିଲେ ପ୍ରଣବ ପ୍ରକାଶ ।
ଶନିବାର ସକାଳୁ ସକାଳୁ ସମ୍ବଲପୁର ଷ୍ଟାଡିୟମ ନିକଟରେ ପହଞ୍ଚି ଅବସରପ୍ରାପ୍ତ କର୍ମଚାରୀ ଓ ଅବସରପ୍ରାପ୍ତ ସୈନୀକ କର୍ମଚାରୀ, ଅଧିକାରୀଙ୍କୁ ଭେଟିଥିଲେ ବିଜୁ ଜନତା ଦଳର ପ୍ରଣବ ପ୍ରକାଶ ଦାସ ଓ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ । ଅବସରପ୍ରାପ୍ତ କର୍ମଚାରୀ ଓ ଯବାନ ଓ ଅଗ୍ନିବୀର ତାଲିମ ନେଉଥିବା ପ୍ରଶିକ୍ଷାର୍ଥୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ସମ୍ବଲପୁରରେ ଲୋକସଭା ପ୍ରାର୍ଥୀ ଭାବରେ ପ୍ରଣବ ପ୍ରକାଶ ଦାସଙ୍କୁ ପାଇବା ଆମର ସୌଭାଗ୍ୟ ବୋଲି ସେମାନେ କହିଥିଲେ । ଏବଂ ତାଙ୍କ ଜରିଆରେ ରାଜ୍ୟ ସରକାର ସହଯୋଗ କାମନା କରିଥିଲେ । ସମ୍ବଲପୁରର ସେନା କର୍ମଚାରୀମାନେ ଏକ ଟ୍ରେନିଂ ଇନଷ୍ଟିଟ୍ୟୁଟ କରିଥିବାବେଳେ ଯୁବକ ଯୁବତୀମାନଙ୍କୁ ସେନାରେ ଭର୍ତ୍ତୀ କରିବା ପାଇଁ ତାଲିମ ଦେଉଛନ୍ତି । ତେଣୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଘର ସହିତ ମୌଳିକ ସୁବିଧା ଯୋଗାଇଦେବାକୁ ଦାବି କରିଥିଲେ । ଅବସରପ୍ରାପ୍ତ ସୈନୀକମାନେ ଏକ ସୈନୀକ ଗେଷ୍ଟ ହାଉସ ଦାବି କରିଥିଲେ । ଏହି ଅବସରରେ ପ୍ରଣବ ପ୍ରକାଶ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇବା ସହିତ ଯବାନ ମାନେ ଆମ ଦେଶର ଗର୍ବ ଓ ଗୌରବ ବୋଲି କହିଥିଲେ । ସୈନୀକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗଭୀର ସମ୍ମାନ ରହିଛି । ସେମାନଙ୍କୁ ଯାହା ଦରକାର ମୁଖ୍ୟମନ୍ତ୍ରୀ ତାଠାରୁ ଅଧିକ ଚିନ୍ତା କରିଛନ୍ତି ବୋଲି କହିଥିଲେ । ଭୁବନେଶ୍ୱର ଏବଂ ସମ୍ବଲପୁରରେ ଅବସରପ୍ରାପ୍ତ ସେନା ଅଧିକାରୀମାନଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପ୍ରଣବ ପ୍ରକାଶ ପ୍ରତିଶୃତି ଦେଇଥିଲେ । ଭିଏସଏସ ଆର୍ମି ଏକାଡେମୀ ସମ୍ବଲପୁରର ଯୁବପିଢୀଙ୍କୁ ନିଶା କବଳରୁ ରକ୍ଷା କରି ମୁଖ୍ୟସ୍ରୋତକୁ ଫେରାଇ ଆଣୁଛି ବୋଲି କହିବା ସହିତ ସେମାନଙ୍କ ପ୍ରତି ସବୁବେଳେ ସହଯୋଗ କରିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ପ୍ରଣବ ପ୍ରକାଶ ପହଞ୍ଚିଥିଲେ ରେଙ୍ଗାଲି ଠାରେ । ରେଙ୍ଗାଲି ସ୍ଥିତ ବିଜୁ ଜନତା ଦଳର କାର୍ଯ୍ୟାଳୟ ଠାରେ ସକାଳ ୮ ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତା ମାନଙ୍କୁ ନିର୍ବାଚନ ରଣନୀତି ସର୍ମ୍ପକରେ ବୁଝାଇଥିଲେ । ସେହିଭଳି ରେଙ୍ଗାଲି ମାରୱାଡି ସମାଜର ସଦସ୍ୟମାନଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ପରେ ସେ ପହଞ୍ଚିଥିଲେ ରୋୟାଲ ରିଟ୍ରିଟ ଠାରେ । ସେଠାରେ କୁଚିଣ୍ଡାରୁ ଆସିଥିବା କିଷାନ ସମାଜର ସଦସ୍ୟଙ୍କ ସହିତ ତାଙ୍କର ଆଲେଚନା ହୋଇଥିଲା । ସେହିଭଳି ଅପରାହ୍ନ ୪ ଟା ରୁ ୬.୩୦ ପର୍ଯ୍ୟନ୍ତ ବସ ମାଲିକ ସଂଘ, କୁଲତା ସମାଜ, ବ୍ରାହ୍ମଣ ସମାଜ ଓ ବାରିକ ସମାଜର କର୍ମକର୍ତ୍ତା ମାନଙ୍କୁ ଭେଟିଥିଲେ ପ୍ରଣବ । ତାଙ୍କ ସହିତ ଆଲେଚନା କରି ସମ୍ବଲପୁର ର କେମିତି ବିକାଶ କରାଯାଇପାରିବ ତାହା ବୁଝିଥିଲେ । ଏହା ପରେ ମୋଦୀପଡା ଠାରେ ଏକ ଜନସଭାର ଆୟୋଜନ କରାଯାଇଥିଲା । ଜନତାଙ୍କୁ ସମ୍ବୋଧନ ଦେଇ ସେ ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଜନସଭା କାର୍ଯ୍ୟକ୍ରମ ପରେ ଗୋପାଲମାଲ ସ୍ଥିତ ମାଲିପଡାରେ ପହଞ୍ଚି ଅଷ୍ଟପ୍ରହରୀ ନାମଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶେଷରେ ପୁଣି ରୋୟାଲ ରିଟ୍ରିଟରେ ହୀରାକୁଦ ଓ ସମ୍ବଲପୁରର ଅଟୋ ଚାଳକ ସଂଘର କର୍ମକର୍ତ୍ତାଙ୍କୁ ଭେଟି ମାରାଥନ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ । ଦିନସାରା ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ଜନସାଧାରଣଙ୍କୁ ଭେଟିବା ଆଲୋଚନା କରିବା ପରେ ସେ କହିଥିଲେ ଏଠାକାର ଜନପ୍ରତିନିଧି ମାନେ ଲୋକଙ୍କ ସେବା କରିବାରେ ବିଫଳ ହୋଇଛନ୍ତି । ଫଳସ୍ୱଋପ ସମ୍ବଲପୁରରେ ଯାହା କାମ ହେବା କଥା ତାହା ହୋଇନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ସମ୍ବଲପୁରବାସୀଙ୍କ ସେବା କରିବାକୁ ଏଠାକୁ ଆସିଛନ୍ତି । ତେଣୁକରି ଏଥର ଶଙ୍ଖ ଚିହ୍ନରେ ଦୁଇଥର ଭୋଟଦେଇ ସମ୍ବଲପୁରର ବିକାଶରେ ସହଭାଗୀ ହେବାକୁ ସେ ନିବେଦନ କରିଥିଲେ ।