କମ୍ପିବ ପ୍ରଚାର ମଇଦାନ, ୯ରେ ଓଡିଶା ଆସୁଛନ୍ତି ନୀତିନ ଗଡକରୀ ଓ ଆସାମ ମୁଖ୍ୟମନ୍ତ୍ରୀ


ଭୁୁବନେଶ୍ୱର: ବିଜେପିର ନିର୍ବାଚନ ପ୍ରଚାରକୁ ଆହୁରି ଶାଣିତ କରିବା ପାଇଁ ମେ ୯ ତାରିଖରେ ଆସିବେ ବିଜେପିର ୨ ବରିଷ୍ଠ ନେତା । ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡିଶା ଆସି ଦଳ ପାଇଁ ପ୍ରଚାର କରିବେ । ଏହା ପରେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁୁବନେଶ୍ୱରରେ ରୋଡ ଶୋ କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପୁରୀ ଜିଲ୍ଲାରେ ସଭା କରିବେ । ସେ ପୁରୀ ଓ କୃଷ୍ଣପ୍ରସାଦ ସମାବେଶରେ ଯୋଗ ଦେଇ ପ୍ରଚାର କରିବେ । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୩ଟି ଜାଗାରେ ସଭା କରିବେ । ସେ ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ମାରାଥନ ପ୍ରଚାର କରିବେ । ଏହା ପରେ ମେ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁୁବନେଶ୍ୱରରେ ରୋଡ ଶୋ କାର୍ଯ୍ୟକ୍ରମ ରହିଛି । ଏ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଏହା ପରେ ୧୧ ତାରିଖରେ ସେ ବଲାଙ୍ଗୀର ଯାଇ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।

ଏହା ପୂର୍ବରୁ ଆସନ୍ତାକାଲି ଅର୍ଥାତ ୮ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ପୁଣି ମୋଦୀଙ୍କ ୧୧ ତାରିଖ କାର୍ଯ୍ୟକ୍ରମ ପରେ ୧୨ ତାରିଖ ଆସିବେ ବିଜେପିର ଚାଣକ୍ୟ ତଥା ଗୃହ ମନ୍ତ୍ରୀ ଅମିତ ଶାହ । ବିଜେପି ରାଜ୍ୟରେ ଏଥର ସରକାର ଗଢିବା ପାଇଁ ଅଣ୍ଟା ଭିଡିଛି । ତେଣୁ ଦଳ ପକ୍ଷରୁ କୌଣସି ତ୍ରୁଟି ବି ରଖାଯାଉନି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ ଶାଣିତ ସ୍ୱରରେ ହମଲା କରିଥିଲେ ।