ବିଜେଡିକୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ତୀର୍ଯ୍ୟକ ବାଣ, ନବୀନ ଯାହା ଦେଉଛନ୍ତି ସବୁ ପାଣ୍ଡିଆନଙ୍କୁ ଦେଉଛନ୍ତି


ଭୁୁବନେଶ୍ୱର: ମାଲକାନଗିରିର କାଲିମେଳାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସମ୍ବୋଧନ । ନିଜ ଭାଷଣରେ ବିଜେଡି ମାରିଲେ ତେର୍ଚ୍ଛା ବାଣ । ଶାଣିତ ସ୍ୱରରେ ହମଲା କଲେ । ଏହା ସହିତ ବିଜେଡି ସରକାରକୁ କଲେ କଟାକ୍ଷ । ବିଜେଡି ଭୋଟ୍ ଦେଇ ରାଜ୍ୟରେ ସରକାରକୁ ଆଣିଲେ କଣ କଣ କରାଯିବ ତାର ପ୍ରତିଶ୍ରୁତି ମଧ୍ୟ ଦେଲେ । ନିଜ ଭାଷଣରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପ୍ରଶାସକରୁ ନେତା ପାଲଟିଥିବା ଭିକେ ପାଣ୍ଡିଆନଙ୍କ ଉପରେ କରିଛନ୍ତି ହମଲା ।

ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଆମ ଆସାମରେ ୫୦ ଲକ୍ଷ ବଙ୍ଗାଳି ଅଛନ୍ତି । ସେମାନଙ୍କୁ ଆମେ ସବୁ ସୁବିଧା ପ୍ରଦାନ କରୁଛୁ । ଏଠାରେ ବିଜେପି ସରକାରକୁ ଆସିଲେ ଆପଣମାନଙ୍କୁ ମଧ୍ୟ ସବୁ ସୁବିଧା ମିଳିବ । ଦିଲ୍ଲୀରେ ମୋଦୀ ସରକାର ଅଛି, ପୁଣି ମୋଦୀ ସରକାର ହେବ । ମୋଦୀ ଯାହା କହନ୍ତି, ତାକୁ କରି କି ଦେଖାନ୍ତି ବୋଲି ସମସ୍ତେ ଜାଣିଛନ୍ତି । ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେବି । ଏଠି ବିଜେପି ସରକାର ଆସିଲେ ୫ ଲକ୍ଷ ଲୋକଙ୍କୁ ଦର୍ଶନ ପାଇଁ ଅଯୋଧ୍ୟା ନିଆଯିବ । ଓଡିଶାରେ ବିଜେପି ଆସିଲେ ବେଙ୍ଗଲୀଙ୍କ ପାଇଁ ବେଙ୍ଗଲୀ ଶିକ୍ଷକ ରହିବେ ।

ଏମପିଭି-୮୨ ନାଁକୁ ନେଇ ସମାଲୋଚନା କଲେ ବିଶ୍ୱଶର୍ମା । ଗାଁର ନାଁ ଏଭଳିର କାରଣ ଏଠାରେ ନବୀନ ସରକାର ଚାଲିଛି । ନବୀନ ବାବୁ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି । ବିଜେପି ସରକାରକୁ ଆସିଲେ ଏଠି ରାଜସ୍ୱ ଗ୍ରାମର ମାନ୍ୟତା ମିଳିବ । ରାଜ୍ୟରେ ବିଜେପି ସରକାର ଆସିଲେ, ନମ୍ବର ନୁହେଁ ଗାଁର ନାଁ ଦିଆଯିବ । ବିଜେପି ମୁଖ୍ୟମନ୍ତ୍ରୀ ହେଲା ପରେ ନିଶ୍ଚିତ ଭାବେ ଗାଁ ନାଁ ଦିଆଯିବ ।

ସେ ଏହା ମଧ୍ୟ କହିଛନ୍ତି ଛତିଶଗଡରେ ବିଜେପି ସରକାର ରହିଛି । ସେଠାକାର ଚାଷୀଙ୍କଠୁ ଧାନ କିଣାରେ ୩ ହଜାର ଟଙ୍କା ଦିଆଯାଉଛି । କିନ୍ତୁ ନବୀନ ସରକାର ଏଠାରେ ୨୧ଶହ ଟଙ୍କାରେ ଚାଷୀଙ୍କଠୁ ଧାନ କିଣୁଛନ୍ତି । ଏଠାରେ ବିଜେପି ସରକାରକୁ ଆସିଲେ ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କା ହେବ । ଧାନ ୩୧୦୦ରେ କିଣାଯିବା କଥା କିନ୍ତୁ ନବୀନ ବାବୁ ଦେଉଛନ୍ତି ୨୧୦୦ ଟଙ୍କା ।

ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଆସାମରେ ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ମିଳୁଛି । ଆମ ସରକାର ଏଠି ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ । ମହିଳାମାନେ ବାର୍ଷିକ ୨୫ ହଜାର ଲେଖାଏଁ ୨ ବର୍ଷରେ ୫୦ ହଜାର ମିଳିବ । ମାଗଣା ଚାଉଳ ମୋଦୀ ଦେଉଛନ୍ତି । ନବୀନ ବାବୁ ଯାହା ଦେବା କଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି । ଓଡିଶାରେ ଯୁବବର୍ଗଙ୍କୁ ସରକାରୀ ଚାକିରି ମିଳୁନି । ପ୍ରଶ୍ନ ପତ୍ର ଲିକ୍ ହେଉଛି । ବିଜେପି ସରକାର ଆସିଲା ପରେ ୩ ଲକ୍ଷ ଯୁବବର୍ଗଙ୍କୁ ଚାକିରି ମିଳିବ । ବିଜେଡି ସରକାର ହେବାର କୌଣସି ସମ୍ଭାବନା ନାହିଁ । ଦିଲ୍ଲୀରେ ମୋଦୀ ସରକାର ଏବଂ ରାଜ୍ୟରେ ବିଜେପି ସରକାର ହେବ। ଦିଲ୍ଲୀରେ ମୋଦୀ, ଭୁବନେଶ୍ୱରରେ ବି ମୋଦୀ ସରକାର ହେବ ।