ଅକ୍ଷିମୁଠି ଅନୁକୂଳ କଲେ ପ୍ରଣବ ପ୍ରକାଶ: କହିଲେ,ଚଷା ଲକ୍ଷେ ଜୀବନ ପୋଷା


ସମ୍ୱଲପୁର : ମୁଣ୍ଡରେ ପଗଡି, ହାତରେ ବାଡି । ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲ୍ଳା ରେଙ୍ଗାଲି ସ୍ଥିତ ଢୋରୋପାଣି ଠାରେ ପହଞ୍ଚିବାପରେ ପ୍ରଣବ ପ୍ରକାଶଙ୍କୁ ଦେଖି ବେଶ ଉତ୍ସାହିତ ହୋଇଥିଲେ ଚାଷୀ ଓ ଜନସାଧାରଣ । ଆଜି ସକାଳୁ ଚାଷୀଭାଇଙ୍କ ମଙ୍ଗଳକାମନା କରି ଦିନର ଆରମ୍ଭ କରିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସେ ଢୋରୋପାଣି ଗାଁରେ ଚାଷୀଭାଇଙ୍କ ତରଫରୁ ଆୟୋଜିତ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଚାଷଜମିରେ ପୂଜାର୍ଚ୍ଚନା କରି ଅକ୍ଷିମୁଠି ଦେବା ସହିତ ଚାଷୀଭାଇଙ୍କ କ୍ଷେତ ଶସ୍ୟ ଶ୍ୟାମଳା ହୋଇ ପୁରିଉଠୁ ବୋଲି କାମନା କରିଥିଲେ ।
ଚାଷୀଙ୍କ ଜମିରେ ପୂଜାର୍ଚ୍ଚନା କରି ଲଙ୍ଗଳ କରିଥିଲେ । ଧାନ ବୁଣିଥିଲେ । ପ୍ରଣବ ପ୍ରକାଶଙ୍କ ଚଷା ବେଶକୁ ଉପସ୍ଥିତ ଥିବା ଜନସାଧାରଣ ବେସ ପସନ୍ଦ କରିଥିଲେ । ପ୍ରଭୁ ଜଗନ୍ନାଥ, ମା ସମଲେଶ୍ୱରୀଙ୍କ ଆର୍ଶୀବାଦରୁ ଏବର୍ଷ ଭଲ ବର୍ଷା ହେଉ । ଚାଷୀଙ୍କ ଉନ୍ନତି ହେଉ ବୋଲି ମଙ୍ଗଳକାମନା କରିଥିଲେ । ଏହି ଅବସରରେ ସେ କହିଥିଲେ । ଚାଷୀ ଭାଇଟିଏ ସାରା ଦୁନିଆକୁ ଆହାର ଯୋଗାଉଛି । ତେଣୁକରି ଚାଷୀଭାଇଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସଦା ତତ୍ପର ରହିଛନ୍ତି ବୋଲି କହିଥିଲେ । ସମ୍ବଲପୁର ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ଚାଷୀଙ୍କ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଏଠାକୁ ପଠାଇଛନ୍ତି । ଯେଉଁମାନଙ୍କୁ ଆପଣ ଭୋଟ ଦେଇ ବାଛିଥିଲେ । ଭାଜପା ଦଳର ସେହି ନେତାମାନେ ଚାଷୀଙ୍କ ସ୍ୱାର୍ଥ ପାଇଁ କିଛି କରିନାହନ୍ତି ବୋଲି କହିଥିଲେ । ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଜଳସେଚନ ପ୍ରକଳ୍ପ କରିଛନ୍ତି । ମହାନଦୀ ଉପରମୁଣ୍ଡରେ ଛତିଶଗଡରେ ଦାଦାଗିରି ସତ୍ତ୍ୱେ ଆବଶ୍ୟକ ପାଣି ଯୋଗାଉଛନ୍ତି । କଳିଆ ଯୋଜନାରେ ରାଜ୍ୟର ଅନେକ ଚାଷୀ ଉପକୃତ ହେଉଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ତାଙ୍କର ନିର୍ବାଚନୀ ଇସ୍ତିହାରରେ କୃଷି ଉଦ୍ଦେଶ୍ୟରେ ମାଗଣା ବିଦ୍ୟୁତ ପ୍ରଦାନ କରିବାକୁ ଉଲ୍ଲେଖ କରିଛନ୍ତି । ଆଗାମୀ ଦିନରେ ଚାଷୀଙ୍କ ପାଇଁ ଆହୁରି ଉନ୍ନୟନମୂଳକ ଯୋଜନା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯାହା ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସହିତ ସେମାନଙ୍କର ଆର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ କରିବ ବୋଲି କୁହାଯାଉଛି ।