ସମ୍ୱଲପୁର : ଆଗାମୀ ୧୨ ବର୍ଷ ମଧ୍ୟରେ ଓଡିଶାକୁ ନମ୍ବର ୱାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହିକ୍ରମରେ ବିଜୁ ଜନତା ଦଳ ଯେତେବେଳେ ନିର୍ବାଚନୀ ଇସ୍ତାହାରରେ ବିକଶିତ ଓଡିଶାର ଚିତ୍ର ପ୍ରତିଫଳିତ ହେଉଛି । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି । ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡା, ଗମନାଗମନ, ପରିବହନ, ପର୍ଯ୍ୟଟନ, ମହିଳା ଶସକ୍ତିକରଣ, ଯୁବ ଦକ୍ଷତା ବିକାଶ, ଓଡିଶାର ଐତିହ, ସଂସ୍କୃତିର ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଘଟିବ । ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରନ୍ତି । ତେଣୁକରି ଏହା ନିର୍ବାଚନୀ ଇସ୍ତାହାର ନୁହେଁ ଓଡିଶାବାସୀଙ୍କ ପାଇଁ ଭରସାର ପତ୍ର ବୋଲି କୁହାଯାଉଥିବାବେଳେ ସତ୍ତାର ଳାଲସାରେ ବୁଡିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଗଜ ର ଦସ୍ତାବିଜ ଦେଖାଯାଉଛି । ବିଜେଡିର ଇସ୍ତାହାର ବିରୋଧୀଙ୍କ ପାଇଁ ଚିନ୍ତା ବଢାଇଥିବାବେଳେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବର୍ତ୍ତିନାହାନ୍ତି । ତେଣୁକରି ନିଜ ଦୋଷ ଦୁର୍ଗୁଣ ସୁଧାରିବା ପରିବର୍ତ୍ତେ ବିଜେଡି ଇସ୍ତାହାରରେ ଭୁଲ ଖୋଜୁଛନ୍ତି ବୋଲି କଡା ସମାଲୋଚନା କରିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି ।
ବିଜେଡିର ଇସ୍ତାହାର ସର୍ମ୍ପକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇ ୨ ଲକ୍ଷ ଚାକିରୀ, ଏକ ଲକ୍ଷ ସରକାରୀ ପଦବୀ କଥା କହିଥିଲେ । କିନ୍ତୁ ସେ ନିଜେ ଭୁଲିଯାଇଛନ୍ତି ବିଗତ ନିର୍ବାଚନରେ କେନ୍ଦ୍ର ସରକାର ଗଢିଥିବା ବିଜେପି ଦଳ ୨ ଲକ୍ଷ ଚାକିରୀ ଓ ୧୫ ଲକ୍ଷ ଟଙ୍କା ପ୍ରତେକ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଆସିବ ବୋଲି ପ୍ରତିଶୃତି ଦେଇଥିଲେ । ଓଡିଆ ଅସ୍ମିତାକୁ ଆକ୍ରମଣ କରୁଥିବା ଧର୍ମେନ୍ଦ୍ର ପ୍ରଧାନ ବିଜେଡି ମେନିଫେଷ୍ଟୋକୁ ମନଦେଇ ପଢିବା ଉଚିତ । କାରଣ ଓଡିଶାର ଉପାସନା ସ୍ଥାନ, ଐତିହସ୍ଥଳ ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ସହିତ ଜଡିତ ସ୍ଥାନଗୁଡିକର ସଂରକ୍ଷଣ କରିବା ପାଇଁ ଏକ ହେରିଟେଜ ବିକାଶ ପାଣ୍ଠି ଭାବରେ ୧୦୦୦ କୋଟିର ଏକ କର୍ପସକୁ ପୃଥକ କରାଯିବ । ଶାସ୍ତ୍ରୀୟ ଭାଷାର ଭାବରେ ଓଡିଆ ର ବିକାଶ ଏବଂ ପ୍ରୋତ୍ସାହନ ପାଇଁ ୧୦୦ କୋଟି ରଖାଯାଇଛି । ପଶ୍ଚିମ ଓଡିଶାର ଭାଷାର ବିକାଶ ତଥା ଗବେଷଣା, ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ ୨୫ କୋଟି ଟଙ୍କାର କର୍ପସ ଫଣ୍ଡ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ । ଓଡିଶାର ପ୍ରସିଦ୍ଧ ବ୍ୟକ୍ତିତ୍ୱ ସହିତ ସଂଯୁକ୍ତ ୧୦୦ ଗୋଟି ବିଦ୍ୟାଳୟକୁ ଐତିହ ବିଦ୍ୟାଳୟ ଭାବରେ ବିକଶିତ କରାଯିବ । ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ଭଳି ପ୍ରତିବର୍ଷ କଳିଙ୍ଗଶ୍ରୀ ଏବଂ କଳିଙ୍ଗ ଭୂଷଣ ପୁରସ୍କାର ପ୍ରଦାନ କରାଯିବ । ବିଜେପିର ଇସ୍ତାହାରକୁ କପି କରାଯାଇଛି ବୋଲି ଛାତିପିଟି ହେଉଥିବା ଧର୍ମେନ୍ଦ୍ର ପ୍ରଧାନ ଏ ସର୍ମ୍ପକରେ କେବେ ଚିନ୍ତା କରିଥିଲେ କି ବୋଲି ପଚାରିଛନ୍ତି ଡ. ଲେନିନ୍ ମହାନ୍ତି । ସେହିଭଳି ସମଗ୍ର ରାଜ୍ୟରେ ଭାଗବତ ଟୁଙ୍ଗୀର ସଂରକ୍ଷଣ ପାଇଁ ଅର୍ଥ ଯୋଗାଇ ଦିଆଯିବ । ଯାହାକି ଯୁବବର୍ଗକୁ ତାଙ୍କର ସଂସ୍କୃତି, ଐତିହ ଏବଂ ଭାଷାରେ ଗର୍ବ ଅନୁଭବ କରିବାକୁ ଶସକ୍ତ କରିବ ଏବଂ ଆତ୍ମବିଶ୍ୱାସର ସହିତ ଭବିଷ୍ୟତକୁ ଆଗକୁ ବଢାଇବାକୁ ସହଯୋଗ କରିବ । ଅପରପକ୍ଷେ ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଠାରୁ ଶାସ୍ତ୍ରୀୟ ଭାଷା ଭାବରେ ଓଡିଆର ପ୍ରଚାର, ପ୍ରସାର ଏବଂ ଗବେଷଣା ପାଇଁ ଜିରୋ ପାଣ୍ଠି ଗ୍ରହଣ କରାଯାଇଛି । ତେଣୁକରି ଏଥର ପୁଣି ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଏବଂ ହୋ, ମୁଣ୍ଡାରୀ ଏବଂ ଭୂମିଜଙ୍କୁ ଅଷ୍ଟମ କାର୍ଯ୍ୟସୂଚୀରେ ଅର୍ନ୍ତଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯିବ ବୋଲି କୁହାଯାଇଛି । ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ରାଜନୀତି ଜୀବନର ସମୟ ମଧ୍ୟରେ ଓଡିଶା ପାଇଁ ଏକଥା ଚିନ୍ତା କରିଥିଲେ କି ବୋଲି ପଚାରିଛନ୍ତି ଡ. ଲେନିନ୍ ମହାନ୍ତି । ଯଦି ଧର୍ମେନ୍ଦ୍ର ପ୍ରଧାନ ଲୋକଙ୍କ ସେବା କରିବାକୁ ରାଜନୀତିକୁ ଓହ୍ଲାଇଛନ୍ତି ତାହେଲେ ଓଡିଶାର ବିକାଶ ପାଇଁ ବିଜେଡିର ଇସ୍ତାହାରରେ ଦିଆଯାଇଥିବା ଭରସାକୁ ଗ୍ରହଣ କରି ତଦନୁଯାୟୀ କାମ କରନ୍ତୁ ବୋଲି ଡ. ଲେନିନ୍ ମହାନ୍ତି ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି ।
ବିଜେଡି ଇସ୍ତାହାର ସର୍ମ୍ପକରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟାର କଡା ଜବାବ ଦେଲା ବିଜେଡି
