ବିଶ୍ୱ ଜଳାତଙ୍କ ଦିବସ ପାଳିତ: ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ପ୍ରାଣୀ ଚିକିତ୍ସା ଅଧିକାରୀ
ଜମନକିରା ବ୍ଲକର ବିଭିନ୍ନ ବିଦ୍ୟାଳୟରେ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଜଳାତଙ୍କ ଦିବସ (World Rabies Day) ଅବସରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜମନକିରା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ (BVO) ଡା. ସରିତ କୁମାର ପାତ୍ର, ଜମନକିରା ପ୍ରାଣୀ ଚିକିତ୍ସକ (VAS) ଡା. କୁନାଲ ସାହୁ ଏବଂ ଭୋଜପୁର ପ୍ରାଣୀ ଚିକିତ୍ସକ (VAS) ଡା. ଭୁବନେଶ୍ୱର ସାହୁଙ୍କ ମିଳିତ ତତ୍ତ୍ୱାବଧାନରେ ଏହି ସଚେତନତା ଶିବିରମାନ ଆୟୋଜିତ ହୋଇଥିଲା।
ଏହି କ୍ରମରେ ସନ୍ଧାପଥର ସ୍ଥିତ ପିଏମ୍ ଶ୍ରୀ ଏସ୍.ଏସ୍.ଡି ସରକାରୀ ଉଚ୍ଚ ବିଦ୍ୟାଳୟ, ତଙ୍ଗରାଣୀ ସ୍ଥିତ ବି.ପି.ଏ.ଭି ହାଇସ୍କୁଲ ଏବଂ ଜମନକିରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଡାକ୍ତରମାନେ ଜଳାତଙ୍କ (Rabies) ଭଳି ମାରାତ୍ମକ ରୋଗର ଲକ୍ଷଣ, ସଂକ୍ରମଣ ଏବଂ ଏହାର ପ୍ରତିରୋଧକ ଉପାୟ ସମ୍ପର୍କରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।
କୁକୁର କିମ୍ବା ଅନ୍ୟାନ୍ୟ ପଶୁ କାମୁଡ଼ିଲେ କ୍ଷତ ସ୍ଥାନକୁ ସାବୁନ ଓ ପାଣିରେ ଭଲ ଭାବରେ ଧୋଇବା ଏବଂ ବିଳମ୍ବ ନକରି ତୁରନ୍ତ ଆଣ୍ଟି-ରାବିସ୍ ଟିକା (Anti-Rabies Vaccine) ନେବାକୁ ପରାମର୍ଶ ଦିଆଯାଇଥିଲା। ଏହା ସହିତ ନିଜ ଘରର ପୋଷା ଜୀବଜନ୍ତୁଙ୍କୁ ନିୟମିତ ଟିକାକରଣ କରାଇ ସମାଜକୁ ଜଳାତଙ୍କ ମୁକ୍ତ ରଖିବାକୁ ଡାକ୍ତରମାନେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଚେତନ ହେବା ସହ ଶପଥ ଗ୍ରହଣ କରିଥିଲେ।

