ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପଛରେ ଷଡଯନ୍ତ୍ର ଥିଲା, ରିପୋର୍ଟ କାହିଁକି ସାର୍ବଜନୀନ କରୁନି ବିଜେଡି ସରକାର: ପ୍ରତାପ ଷଡଙ୍ଗୀ


ଭୁବନେଶ୍ୱର: ଆଜି ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଛି । ଅନ୍ୟ ପର୍ଯ୍ୟାୟ ପାଇଁ ପ୍ରଚାର ବି ଜୋରଦାର ଚାଲିଛି । ଏହା ମଧ୍ୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଘଟଣା ପୁଣି ଥରେ ମୁଣ୍ଡ ଟେକିଛି । ସୋମବାର ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ଏହି ପ୍ରସଙ୍ଗ ସେହି ସମୟରେ ଉଠିଛି ଯେବେ ମେ ୧୧ ତାରିଖରେ ବିଜେଡି ନେତା ଭିକେ ପାଣ୍ଡିଆନ କନ୍ଧମାଳ ଦଙ୍ଗା ପାଇଁ ବିଜେପି ଦାୟୀ ବୋଲି ଜନସଭାରେ କହିଥିଲେ ।

ପ୍ରତାପ କହିଛନ୍ତି, ଜାଣିଶୁଣି ସୁରକ୍ଷା ବ୍ୟବସ୍ଥା ଢିଲା କରାଯାଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହବିଭାଗ ଥିଲା । ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପଛରେ ଷଡଯନ୍ତ୍ର ଥିଲା । ଏଥିରେ ସାଂସଦ ସସ୍ମିତ ପାତ୍ରଙ୍କ ବାପାଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । କାହିଁକି ସ୍ୱାମୀଜୀଙ୍କ ସୁରକ୍ଷାକର୍ମୀଙ୍କୁ ଅପସାରଣ କରାଗଲା । ଗୃହ ବିଭାଗର ଅନୁମତି ବିନା ସୁରକ୍ଷାକର୍ମୀଙ୍କୁ ଅପସାରଣ କରାଯାଇ ପାରିବ ନାହିଁ । ଗୃହ ବିଭାଗର ମାଲିକ ହିସାବରେ ନବୀନ ବାବୁ ଏଥିପାଇଁ ସଂପୂର୍ଣ୍ଣ ଦାୟୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଜବାବ ଦିଅନ୍ତୁ ।

ବ।ଲେଶ୍ୱର ସାଂସଦ କହିଛନ୍ତି, ଘଟଣାର ତଦନ୍ତ ପାଇଁ ୩ଟି କମିଶନ ବସିଲା । କିନ୍ତୁ ରିପୋର୍ଟ କାହିଁକି ସାର୍ବଜନୀନ କରାଗଲା ନାହିଁ । ଏ ସରକାରକୁ ଆଉ ଗୋଟିଏ ଦିନ ବି ରହିବାର ଅଧିକାର ନାହିଁ । ଏପରି ସରକାରକୁ ଉଠେଇ ଫୋପାଡି ଦେବା ଦରକାର । ସୂଚନାଯୋଗ୍ୟ, ୨୦୦୮ ମସିହା ଜନ୍ମାଷ୍ଟମୀ ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା । ଏହା ପରେ କନ୍ଧମାଳ ହୋଇଥିଲା, ଯାହା ପୁରା ଦେଶକୁ ଦୋହଲାଇ ଦେଇଥିଲା । ତେବେ ବିଜେଡି ନେତା ଭିକେ ପାଣ୍ଡିଆନ ନିର୍ବାଚନ ସମୟରେ ଏହି ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ୍ କରିଥିବା ବେଳେ ପୁଣି ଥରେ ସ୍ୱାମୀ ଲକ୍ଷଣାନନ୍ଦଙ୍କ ହତ୍ୟା ଘଟଣା ଉଜ୍ଜିବୀତ ହୋଇ ଉଠିଛି । ଏହି ପ୍ରସଙ୍ଗକୁ ନେଇ ଏବେ ବିଜେଡି ଓ ବିଜେପି ମଧ୍ୟରେ ଖୁବ୍ ଆରୋପ ପ୍ରତ୍ୟାରୋପ ଓ କାଦୁଅ ଫିଙ୍ଗାଫିଙ୍ଗି ଦେଖିବାକୁ ମିଳିପାରେ ।