ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷାର୍ଥୀ ନିଜର ଫଳାଫଳ ଜାଣିବା ପାଇଁ cbseresults.nic.in, results.cbse.nic.in ଏବଂ cbse gov .inରେ ଦେଖି ପାରିବେ । ଏଥର ମଧ୍ୟ ଛାତ୍ରୀମାନେ ବାଜି ମାରି ନେଇଛନ୍ତି । ୨୦୨୪ର ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୧.୫୨ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୮୪.୬୭ ପ୍ରତିଶତ । ଯାହା ଗତ ବର୍ଷ ତୁଳନାରେ ଅଧିକ ରହିଛି । ରାଜ୍ୟ ଉପରେ ନଜର ପକାଇଲେ କେରଳ ରାଜଧାନୀ ଥିରୁଅନନ୍ତପୁରମ ଛାତ୍ର-ଛାତ୍ରୀ ବାଜି ମାରି ନେଇଛନ୍ତି । ସେଠାରେ ପାସ୍ ହାର ୯୯.୧୦ ପ୍ରତିଶତ ରହିଛି । ଭୁବନେଶ୍ୱରର ପାସ୍ ହାର ୮୩.୩୪ ପ୍ରତିଶତ ରହିଛି ।
ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ର-ଛାତ୍ରୀମାନେ ନିଜ ସ୍କୁଲରେ ପହଞ୍ଚିବାରେ ଲାଗିଛନ୍ତି । ସିବିଏସଇର ଦ୍ୱାଦଶ ବୋର୍ଡ ପରୀକ୍ଷା ୭୧୨୬ ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହୋଇଥିଲା । ଏଥର ମୋଟ୍ ୧୬ ଲକ୍ଷ ୩୩ ହଜାର ୭୩୦ ପରୀକ୍ଷାର୍ଥୀ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ । କିନ୍ତୁ ପରୀକ୍ଷା ଦେଇଥିଲେ ୧୬ ଲକ୍ଷ ୨୧ ହଜାର ୨୨୪ ଜଣ । ଏଥିରୁ ୧୪ ଲକ୍ଷ ୨୬ ହଜାର ୪୨୦ ଛାତ୍ର-ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥର ପାସ୍ ହାର ୮୭.୯୮ ପ୍ରତିଶତ ରହିଛି, ଯାହା ଗତ ବର୍ଷ ୮୭.୩୩ ପ୍ରତିଶତ ଥିଲା ।