ବଲାଙ୍ଗୀରରୁ କେନ୍ଦ୍ରକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ


ବଲାଙ୍ଗୀର: ବଲାଙ୍ଗୀରରୁ କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ । କେନ୍ଦ୍ରକୁ କଡ଼ା ଭାଷାରେ ସମାଲୋଚନା କରିବା ସହ ଜୁନ ୪ରେ ସରକାର ବଦଳିବ ବୋଲି ଦମ୍ଭର ସହ କହିଛନ୍ତି ରାହୁଲ ।

କେନ୍ଦ୍ରକୁ ଟାର୍ଗେଟ କରି ରହୁଲ କହିଛନ୍ତି, ୨୨ ଜଣ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଛାଡ କରି କେନ୍ଦ୍ର ସରକାର ଧନୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି । କେନ୍ଦ୍ର ସରକାର ୨୨ରୁ ୨୫ ଜଣଙ୍କ ପାଇଁ କାମ କରୁଛନ୍ତି । ୯୦ ଅଫିସର ସରକାର ଚଳାଉଛନ୍ତି । ସେଥିରୁ ମାତ୍ର ୩ ଜଣ ଦଳିତ । ଏଥିରୁ ଜଣାପଡୁଛି କେନ୍ଦ୍ରର ଆଦିବାସୀ ଓ ଦଳିତ ପ୍ରୀତି । ବିଜେପି ସରକାର ଏଥର କ୍ଷମତାକୁ ଆସିଲେ ସମ୍ବିଧାନ ବଦଳାଇ ଦେବେ ବୋଲି କହୁଛନ୍ତି । ଦୁନିଆର କୌଣସି ଶକ୍ତି ସମ୍ବିଧାନ ବଦଳାଇପାରିବେନି ।

ଇଣ୍ଡି ମେଣ୍ଟ ସରକାରକୁ ଆସିଲେ ପ୍ରଥମେ ଗରିବ ଲୋକଙ୍କ ତାଲିକା ହେବ । ପ୍ରତି ପରିବାରରୁ ଜଣେ ମହିଳାଙ୍କୁ ବଛାଯିବ । ୪ ଜୁଲାଇରେ ସେହି ମହିଳାଙ୍କ ଖାତାକୁ ପ୍ରଥମ କିସ୍ତିରେ ୮ ହଜାର ୫ ଶହ ଟଙ୍କା ଯିବ । ଏପରି ଭାବେ ବର୍ଷକରେ କୋଟି କୋଟି ମନୋନୀତ ମହିଳାଙ୍କ ଖାତାକୁ ଏକ ଲକ୍ଷ ଲେଖାଏଁ ଟଙ୍କା ଯିବ ବୋଲି ରାହୁଲ କହିଛନ୍ତି ।

ଆଗକୁ ସେ କହିଛନ୍ତି, ଖାଲି ପଡିଥିବା ୩୦ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ । ମନରେଗା ମଜୁରୀକୁ ୨୫୦ରୁ ୪ ଶହ ଟଙ୍କା କରିବ ଇଣ୍ଡି ମେଣ୍ଟ ସରକାର । ଇଣ୍ଡି ମେଣ୍ଟ ଆସିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବା ସହ ସମସ୍ତ ଚାଷୀଙ୍କ ଋଣ ଛାଡ କରାଯିବ ।