Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜୟ ସଂକଳ୍ପ ସମାବେଶରେ ଧର୍ମେନ୍ଦ୍ରଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ:ପଚାରିଲେ ପାନୀୟ ଜଳ, ଜଳସେଚନ, ଶୀତଳଭଣ୍ଡାର, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରର ସ୍ଥିତି କଣ ?

ସମ୍ବଲପୁର(ରେଢାଖୋଲ/ଆଠମଲ୍ଲିକ): ପର ଘର ତିଅଣରେ ଅତିଥି ସତ୍କାର କରିବାରେ ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ । ନରେନ୍ଦ୍ର ମୋଦୀଙ୍କ ସରକାର ଏସଏଚଜି ଭଉଣୀଙ୍କ ପାଇଁ ବ୍ୟାଙ୍କରୁ ଋଣ ଦେବାର ବ୍ୟବସ୍ଥା କଲେ । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ଦେବାର ସୁବିଧା କଲେ । କିନ୍ତୁ ଏ ବିଜେଡି ସରକାର ଏସବୁକୁ ନିଜ ଯୋଜନା କହି ମିଛ ପ୍ରଚାର କରୁଛି ବୋଲି ତେରଛା ବାଣ ମାରି ବିଜେପି ନିର୍ବାଚନ ପ୍ରଚାରକୁ ଯୋରଦାର କରିଛି।
ରବିବାର ସମ୍ବଲପୁର ସଂସଦୀୟ କ୍ଷେତ୍ରର ରେଢାଖୋଲ ଏବଂ ଆଠମଲ୍ଲିକରେ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର ୩ କୋଟି ୨୬ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି । ଏହି ଯୋଜନାରେ ମୋଦୀ ଲୋକମାନଙ୍କୁ ମାଗଣାରେ ଜଣକ ପିଛା ୫ କେଜି ଚାଉଳ ଦେଲେ । କିନ୍ତୁ ନବୀନ ସରକାର ମୁଣି ଦେଇ ଚାଉଳ ନିଜେ ଦେବାର ମିଛ ପ୍ରଚାର କଲେ । ସେହିପରି ଏସଏଚଜି ମୋଦୀ ସରକାରଙ୍କ କାର୍ଯ୍ୟକ୍ରମ । ଏସଏଚଜି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଭାରତ ସରକାରଙ୍କ ବ୍ୟାଙ୍କରୁ ଋଣ ଦେବାର ଦାୟିତ୍ୱ ମୋଦୀ ନେଇଛନ୍ତି । ମୋଦି ସରକାର ଏସଏଚଜି ଭଉଣୀଙ୍କୁ ୧୧ ପ୍ରତିଶତ ସୁଧରେ ଦେଉଥିବା ଋଣର ୭ ପ୍ରତିଶତ ପରିଶୋଧ କରୁଛନ୍ତି । କିନ୍ତୁ ସ୍ୱଳ୍ପ କିଛି ଋଣ ପରିଶୋଧ କରି ନବୀନ ସରକାର ଏସଏଚଜିକୁ ଋଣ ଦେବାର ଶ୍ରେୟ ନେଉଛନ୍ତି । ସତ କଣ ଲୋକମାନେ ବୁଝିଲେଣି ।
ଦୀର୍ଘ ୨୫ ବର୍ଷ ଧରି ଯେଉଁମାନେ ଓଡ଼ିଶାବାସୀଙ୍କ ସହ ପ୍ରତାରଣା କଲେ ସେମାନଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ଲୋକମାନେ ମନ ବନାଇସାରିଛନ୍ତି । ୨୪ ବର୍ଷର ସ୍ଥିର ସରକାର ରହିବା ପରେ ମଧ୍ୟ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ଯେଉଁଭଳି ସ୍ଥିତିରେ ରହିବା କଥା, ସେଭଳି ସ୍ଥିତିରେ ନାହିଁ । ଜଳ ଜୀବନ ମିଶନରେ ମୋଦୀ ସରକାର ୧୦ ହଜାର କୋଟି ଦେବା ପରେ ବି ଘରେ ଘରେ ପିଇବା ପାଣି ପହଞ୍ଚିପାରିଲା ନାହିଁ । ଆଠମଲ୍ଲିକ ଓ ରେଢାଖୋଲରେ ପାନୀୟ ଜଳ, ଜଳସେଚନ, ଶୀତଳଭଣ୍ଡାର, ଶିକ୍ଷା, ସ୍ୱାସ୍ଥ୍ୟର ସ୍ଥିତି କଣ ? ଲୋକମାନେ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ଏହା ଉପରେ ପ୍ରଶ୍ନ କଲେ ବିଜେପି ଅଶାଳୀନ ଶବ୍ଦ ବ୍ୟବହାର କରାଯିବା କଥା କୁହାଯାଉଛି । ଆଦିବାସୀଙ୍କ ଜମିକୁ ବିକ୍ରି କରିବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତି ନେଇଥିବା ଲୋକମାନେ ହିଁ ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯିଏ ଆଦିବାସୀଙ୍କ ଜମିକୁ ବିକିବାର ନିଷ୍ପତ୍ତି କ୍ୟାବିନେଟ୍‌ରେ ନିଏ, ସେ ଆଦିବାସୀଙ୍କର କେବେ ହୋଇପାରିବ ନାହିଁ । ୨୫ ବର୍ଷର ଅପରାଗ, ଦୁର୍ନୀତିଗ୍ରସ୍ତ, ଲୁଟେରା ସରକାରକୁ ବଦଳାଇବା ପାଇଁ ଲୋକେ ନିଷ୍ପତ୍ତି ନେଇଛନ୍ତି ।
ପ୍ରଧାନମନ୍ତ୍ରୀ ନିଜେ ଓଡ଼ିଶାର ଜନସାଧାରଣଙ୍କୁ ବିଜେପିକୁ ୫ ବର୍ଷ ସେବା କରିବା ପାଇଁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି । ବିଜେପି ସରକାର ହେଲେ ଓଡ଼ିଶାରେ ‘ମୁକ୍ତ ବିଜୁଳି ଯୋଜନା’ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳି ଯୋଗାଯିବ। ରାଜ୍ୟରେ ବିଜେପି ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ସବୁ ଗରିବଙ୍କୁ ପଟ୍ଟା ସହ ପକ୍କା ଘର ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ଘର ଦିଆଯିବ । ରାଜ୍ୟର ଘରେ ଘରେ ନଳ ଯୋଗେ ପାନୀୟ ଜଳ ପହଞ୍ଚାଯିବ । ଶୌଚାଳୟ ଓ ଉଜ୍ଜ୍ୱଳା ଗ୍ୟାସ ସହ ସବୁ ପ୍ରକାର ସୁବିଧା ଦିଆଯିବ । ଦାଦନ ଯନ୍ତ୍ରଣାରୁ ମୁକ୍ତି ଦିଆଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ରାଜ୍ୟରେ ମୋଦୀ ସରକାରଙ୍କ ଏସଏଚଜି ସମୂହକୁ ନେଇ ୨୫ ଲକ୍ଷ ଲକ୍ଷପତି ଦିଦି ତିଆରି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଦେଶରେ ଏକ ସଶକ୍ତ ଓ ଦୃଢ ସରକାର ସହ ସବୁ ବର୍ଗର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଦେଶବାସୀ ନିର୍ଣ୍ଣୟ କରିସାରିଛନ୍ତି । ସମ୍ବଲପୁର ଦଶ ହଜାର ବର୍ଷ ତଳର ସାଂସ୍କୃତିକ ଭାବଧାରାର ମୂକସାକ୍ଷୀ । ନାକଟିଦେଉଳ ପାଖରେ ଭୀମମଣ୍ଡଳୀ ପରି ଐତିହାସିକ ସ୍ଥାନ ରହିଛି । ସମ୍ବଲପୁରକୁ ଦେଶର ଆଗୁଆ ଅଞ୍ଚଳ ଭାବରେ ଗଢି ତୋଳିବା ଆମ ସମସ୍ତଙ୍କ ମିଳିତ ପ୍ରୟାସରେ ହିଁ ସମ୍ଭବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ ରେଢାଖୋଲ ସମାବେଶରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜନତାଙ୍କ ମୁଖ୍ୟ ଆକର୍ଷଣ ଥିଲେ । ଓଡ଼ିଶାରେ ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ଲୋକସଭା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଓ ରେଢାଖୋଲ ବିଧାନସଭା ପାଇଁ ଦେବେନ୍ଦ୍ର ମହାପାତ୍ରଙ୍କୁ ଆଶୀର୍ବାଦ କରିବା ପାଇଁ ରାଜନାଥ ସିଂ ସମବେତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ଆୟୋଜିତ ସମାବେଶରେ ବିଜେପିର ଦଳିୟ କର୍ମକର୍ତ୍ତାମାନଙ୍କ ସହିତ ବହୁ ନିର୍ବାଚିତ ପ୍ରତିନିଧି ଯୋଗଦେଇଥିଲେ।