ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୩୫.୩୧ ପ୍ରତିଶତ ମତଦାନ


ଭୁବନେଶ୍ୱର: ଆଜି ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୩୫.୩୧ ପ୍ରତିଶତ ମତଦାନ ହୋଇଛି । ପ୍ରତି ବୁଥରେ ଭୋଟ୍ ଦେବା ପାଇଁ ଲୋକଙ୍କ ଲାଇନ ଦେଖିବାକୁ ମିଳିଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ ଓ ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ସହ ଏହା ଅଧିନରେ ଥିବା ୩୫ ବିଧାନସଭା ସିଟରେ ମତଦାନ ହେଉଛି ।

ଏହା ପୂର୍ବରୁ ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟରେ ୨୧.୦୭ ପ୍ରତିଶତ ମତଦାନ ହୋଇଥିଲା । ଏହି ସମୟରେ ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବଲାଙ୍ଗୀରରେ ସର୍ବନିମ୍ନ ୧୭.୧୬ ପ୍ରତିଶତ ମତଦାନ ହୋଇଥିଲା ।

୨ୟ ପର୍ଯ୍ୟାୟରେ ମୋଟ୍ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିରେ ୧୮ରୁ ୧୯ ବର୍ଷର ପ୍ରଥମ ଭୋଟର ୨.୬୭ ପ୍ରତିଶତ, ୨୦ରୁ ୨୯ ବର୍ଷ ୨୧.୩୧ ପ୍ରତିଶତ ରହିଛନ୍ତି । ହଜାରେ ପୁରୁଷରେ ମହିଳା ଭୋଟର ସଂଖ୍ୟା ୯୭୫ ରହିଛି । ସବୁଠୁ ଅଧିକ ଭୋଟର ସୁନ୍ଦରଗଡରେ ଅଛନ୍ତି ।

ଭୋଟ୍ ଗ୍ରହଣ ପାଇଁ ୯୧୬୨ ବୁଥ ପ୍ରସ୍ତୁତ କରାଯାଇଛି । ପ୍ରତି ବୁଥରେ ହାରାହାରି ୮୭୦ ଭୋଟର ମତଦାନ କରିବେ । ଏଥିପାଇଁ ୧୦୪୧ ମହିଳା ପୋଲିଂ କର୍ମଚାରୀ ଓ ୧୫୪୧ ମଡର୍ଣ୍ଣ ବୁଥ୍ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୨୧ ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ ରହିଛି । ସୁରକ୍ଷା ଦାୟିତ୍ୱରେ ୧୦୨ କମ୍ପାନୀ ସିଏପିଏଫ ମୁତୟନ ହେବେ । ୨୨ କମ୍ପାନୀ କନ୍ଧମାଳରେ , ୨୦ କମ୍ପାନୀ ଗଞ୍ଜାମ, ସୁନ୍ଦରଗଡରେ ୧୬ ଓ ବଲାଙ୍ଗୀରରେ ୧୪ କମ୍ପାନୀ ନିୟୋଜିତ ହେବେ ।

୩୫ ବିଧାନସଭା ଆସନ ମଧ୍ୟରେ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼, କଣ୍ଟାବାଂଜି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଂଜନଗର, ପୋଲସରା, କବିସୂର‌୍ୟ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଂଜିଳି ରହିଛି।