ଭୁବନେଶ୍ୱର: ୨୫ ବର୍ଷର ଓଡିଶା ରାଜନୀତି ଇତିହାସରେ ପ୍ରଥମ ଥର ୨୦୨୪ ନିର୍ବାଚନରେ ଦେଖିବାକୁ ମିଳୁଛି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା । ବିଜେଡି ଓ ବିଜେପି ପରସ୍ପରକୁ ରାଜନୀତି ମଇଦାନରେ ଇଞ୍ଚେ ଜାଗା ଛାଡିବାକୁ ନାରାଜ । ରୋଡ୍ ଶୋ ଓ ରାଲିରେ କମ୍ଫୁଛି ରାଜ୍ୟ । ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିର୍ବାଚନ ଲଢୁଥିବା ବେଳେ ବିଜେଡି ନବୀନ ପଟ୍ଟନାୟକଙ୍କ ଚେହେରାରେ ଭୋଟ୍ ମାଗୁଛି । ନିର୍ବାଚନୀ ସଭା ଆୟୋଜନରେ ବିଜେଡି ଓ ବିଜେପି ପ୍ରାୟତଃ ସମାନ ସ୍ଥିତିରେ ଥିବା ବେଳେ ରୋଡ୍ ଶୋ ମାମଲାରେ ବିଜେପି ଶାସକ ବିଜେଡିଠୁ ଢେର ଆଗରେ ରହିଛି । ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ରୋଡ୍ ଶୋ ଓ ନବୀନଙ୍କ ରୋଡ୍ ଶୋ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ଦେଖିବାକୁ ମିଳିଛି ।
ସାଧାରଣତଃ ରୋଡ୍ ଶୋ ଜନତାଙ୍କୁ ଆକର୍ଷିତ କରିବା ପାଇଁ କରାଯାଏ । ଏହା ଜରିଆରେ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମଗାଯିବା ସହ ଉକ୍ତ ଅଞ୍ଚଳରେ ନିଜ ଦଳର ସ୍ଥିତିକୁ ମଜବୁତ କରାଯାଏ । ତେଣୁ ବିଜେପି ଓ ବିଜେଡି ପକ୍ଷରୁ ମାରାଥନ ରୋଡ୍ ଶୋ ଚାଲିଛି । କିନ୍ତୁ ବିଜେପିର ରୋଡ୍ ଶୋ ଆଗରେ ଫିକା ପଡି ଯାଇଛି ବିଜେଡିର ରୋଡ୍ ଶୋ । କାରଣ ବିଜେଡିର ରୋଡ୍ ଶୋ ପ୍ରାର୍ଥୀ ନୁହେଁ ଭିକେ ପାଣ୍ଡିଆନଙ୍କ ଉପରେ କେନ୍ଦ୍ରୀତ ରହୁଛି । ଅନ୍ୟପଟେ ବିଜେପି ଏ ପର୍ଯ୍ୟନ୍ତ କରିଥିବା ରୋଡ୍ ଶୋରେ ପ୍ରାର୍ଥୀମାନଙ୍କୁ ଗୁରୁତ୍ୱ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀ ଭୁବନେଶ୍ୱରରେ ରାମ ମନ୍ଦିରଠୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ଶୋ କରିଥିଲେ । ଏଥିରେ ତାଙ୍କ ସହ ଥିଲେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତ ଷଡଙ୍ଗୀ ଓ ରାଜ୍ୟ ସଭାପତି ମନମୋହନ ସାମଲ । ଏହା ସ୍ୱାଭାବିକ କଥା । କାରଣ ଯେଉଁ ସଂସଦୀୟ କ୍ଷେତ୍ର କିମ୍ବା ବିଧାନସଭା କ୍ଷେତ୍ରରେ ରୋଡ୍ ଶୋ କରାଯାଏ ସେଥିରେ ସେ ଅଞ୍ଚଳର ପ୍ରାର୍ଥୀଙ୍କୁ ପ୍ରମୋଟ କରାଯାଏ । ଆଉ ମୋଦୀଙ୍କ ରୋଡ ଶୋରେ ମଧ୍ୟ ତାହା ଦେଖିବାକୁ ମିଳିଛି । ପୁରୀ ବଡଦାଣ୍ଡରେ ହୋଇଥିବା ବିଶାଳ ରୋଡ୍ ଶୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଥିଲେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର , ରାଜ୍ୟ ସଭାପତି ମନମୋହନ ସାମଲ ଓ ପୁରୀ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ।
ସେହିପରି କଟକରେ ଅମିତ୍ ଶାହଙ୍କ ରୋଡ ଶୋ ତାଙ୍କ ସହ ଥିଲେ କଟକ ଲୋକସଭା ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଠିକ୍ ସେହିଭଳି ଭୁବନେଶ୍ୱରରେ ମାଉସୀ ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରୋଡ୍ ଶୋ କରିଥିଲେ । ତାଙ୍କ ସହ ଥିଲେ ସାଂସଦ ପ୍ରାର୍ଥୀ ଅପରାଜିତ ଷଡଙ୍ଗୀ ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବାବୁ ସିଂ । ଏହା ଜରିଆରେ ବିଜେପି ଭୋଟରଙ୍କୁ ଆକର୍ଷିତ କରିବା ସହ ନିଜ ପ୍ରାର୍ଥୀଙ୍କ ପ୍ରଚାର ଓ ପ୍ରମୋଟ କରିଛି । ଦଳ ଏହା ଜରିଆରେ ପ୍ରାର୍ଥୀଙ୍କ ଛବିକୁ ବଳିଷ୍ଠ କରିବାର ବାର୍ତ୍ତା ଦେଉଛି । ଫଳସ୍ୱରୂପ ବିଜେପିର କେନ୍ଦ୍ରୀୟ ନେତାଙ୍କ ରୋଡ ଶୋରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।
କିନ୍ତୁ ବିଜେଡିର ରୋଡ୍ ଶୋ ଉପରେ ନଜର ପକାଇଲେ ଓଲଟା ଚିତ୍ର ଦେଖିବାକୁ ମିଳିଛି । ନିକଟରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ରୋଡ ଶୋ କରିଥିଲେ । ତାଙ୍କ ସହ କେବଳ ଭିକେ ପାଣ୍ଡିଆନ ଥିଲେ । ନା ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଥିଲେ ନା ବିଧାୟକ ପ୍ରାର୍ଥୀ ଥିଲେ । ମନ୍ମଥଙ୍କୁ ରୋଡ୍ ଶୋରେ ସାମିଲ କରାଯାଇଥିଲେ ଆହୁରି ଭଲ ହୋଇଥାନ୍ତା । ଲୋକଙ୍କ ନିକଟକୁ ଭଲ ବାର୍ତ୍ତା ବି ଯାଇଥାନ୍ତା । ସାଧାରଣତଃ ନିଜ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କୁ ବଡ ନେତାଙ୍କ ସହ ଦେଖିଲେ ଜନତା ଖୁସି ହୁଅନ୍ତି ଏବଂ ଏହା ସେମାନଙ୍କୁ ପସନ୍ଦ ଆସିଥାଏ । କିନ୍ତୁ ବିଜେଡି ସେମିତି କରି ନ ଥିଲା । କେବଳ ଏହି ରୋଡ ଶୋ ନବୀନଙ୍କ ତୁଳନାରେ ପାଣ୍ଡିଆନଙ୍କୁ ବ୍ରାଣ୍ଡିଂ କରିବା ଉଦ୍ଦେଶ୍ୟରେ କରାଯାଇଥିବା ମନେ ହୁଏ । ବିଜେଡିର ରୋଡ୍ ଶୋ କେବଳ ପାଣ୍ଡିଆନଙ୍କ ଉପରେ ବ୍ୟକ୍ତି କେନ୍ଦ୍ରିତ ରହିଗଲା । ରୋଡ ଶୋରେ ଦଳୀୟ ପ୍ରାର୍ଥୀଙ୍କୁ ଅଣଦେଖା କରାଗଲା । ତେଣୁ ବିଜେପି ରୋଡ୍ ଶୋରେ ଯେତେ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିଲା ତାହା ବିଜେଡିର ରୋଡ୍ ଶୋରେ ଦେଖିବାକୁ ମିଳି ନ ଥିଲା । ଏହାର ପ୍ରଭାବ କେତେ ପଡିବ ତାହା ତ ଜୁନ ୪ ତାରିଖ ଜଣା ପଡିବ କିନ୍ତୁ ରୋଡ୍ ଶୋ କେମିତି କରାଯାଏ ତାହା ବିଜେଡିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ଶିଖିବା ଉଚିତ୍ ବୋଲି ସାଧାରଣରେ ଆଲୋଚନା ହେଉଛି ।