ନୂଆଦିଲ୍ଲୀ: ଆଇସିସି ଟୁର୍ଣ୍ଣାମେଣ୍ଟ ଆସିବା ମାତ୍ରେ ଭାରତୀୟ ପ୍ରଶଂସକଙ୍କ ନଜର କପ୍ ଉପରେ ରହିଯାଉଛି । କାରଣ ୧୦ ବର୍ଷରୁ ଅଧିକ ସମୟ ହେଲା ଟିମ୍ ଇଣ୍ଡିଆ ଆଇସିସି ଟ୍ରଫିଟିଏ ଜିତି ପାରିନି । ସେ ଦିନିକିଆ ବିଶ୍ୱକପ୍ ହେଉ କି ଟି-୨୦ ବିଶ୍ୱକପ୍ ଅବା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ । ସବୁଥିରେ ଦଳ ଦମଦାର ପ୍ରଦର୍ଶନ କରି ସେମି କିମ୍ବା ଫାଇନାଲରେ ପହଞ୍ଚୁଛି । କିନ୍ତୁ ଶେଷରେ ଟ୍ରଫି ଉଠାଇବାରେ ବିଫଳ ରହି ଆସିଛି ମେନ ଇନ ବ୍ଲୁ । ତେବେ ଏଥର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ନିଜର ତ୍ରୁଟି ସୁଧାରି କପ୍ ଜିତିବାର ମରୁଡିର ଅନ୍ତ ଘଟାଇବ ବୋଲି କ୍ରିକେଟ୍ ପ୍ରେମୀ ଆଶା ବାନ୍ଧିଛନ୍ତି ।
ଗତ ବର୍ଷ ଭାରତୀୟ ଦଳ ଘରୋଇ ମାଟିରେ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ହାତରୁ ହାରି ଟାଇଟଲ୍ ଜିତିବାର ସୁବର୍ଣ୍ଣ ସୁଯୋଗ ହାତଛଡା କରିଥିଲା । ଏହା ପୂର୍ବରୁ ଦଳ ସେହି ବର୍ଷ ୨୦୨୩ରେ ସମାନ କଙ୍ଗାରୁ ଦଳ ନିକଟରୁ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲରେ ହାରିଥିଲା । ଏହା ପୂର୍ବରୁ ୨୦୨୨ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ସେମି ଫାଇନାଲରେ ଝୁଣ୍ଟିଥିଲା । ଦଳ ଇଂଲଣ୍ଡ ହାତରୁ ଶୋଚନୀୟ ଭାବେ ୧୦ ୱିକେଟରେ ପରାଜିତ ହୋଇଥିଲା ।
ସୂଚନାଯୋଗ୍ୟ, ଶେଷ ଥର ଭାରତୀୟ ଦଳ ୨୦୧୩ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଫାଇନାଲରେ ଦଳ ଘରୋଇ ଇଂଲଣ୍ଡକୁ ମାତ୍ ଦେଇ ଟ୍ରଫି ନିଜ ନାମରେ କରିଥିଲା । ଏହା ପରେ ଭାରତୀୟ ଦଳ ୨୦୧୪ ଟି-୨୦ ବିଶ୍ୱକପ୍, ୨୦୧୫ ଦିନିକିଆ ବିଶ୍ୱକପ୍, ୨୦୧୬ ଟି-୨୦ ବିଶ୍ୱକପ୍, ୨୦୧୯ ଦିନିକିଆ ବିଶ୍ୱକପ୍, ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ, ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଏବଂ ୨୦୨୩ ଦିନିକିଆ ବିଶ୍ୱକପରେ ଚାମ୍ପିଅନ ହେବାରେ ବିଫଳ ହୋଇଛି ।
ଉଲ୍ଲେଖନୀୟ ଭାରତୀୟ ଦଳ ୨୦୦୭ ପ୍ରଥମ ଟି-୨୦ ବିଶ୍ୱକପ୍ ଧୋନୀଙ୍କ ନେତୃତ୍ୱରେ ଜିତିଥିଲା । ତା ପରଠୁ ଆଉ ଦଳ ଟି-୨୦ ବିଶ୍ୱକପ୍ ଜିତି ପାରିନାହିଁ। ତେଣୁ ଦେଖିବା ବାକି ରହିଲା କଣ ରୋହିତଙ୍କ ଟିମ୍ ଇଣ୍ଡିଆ ଦୀର୍ଘ ବର୍ଷର ଟ୍ରଫି ଜିତିବାର ମରୁଡିର ଅନ୍ତ ଘଟାଇ ଭାରତକୁ ଆଇସିସି ଇଭେଣ୍ଟରେ ଚାମ୍ପିଅନ କରାଇବେ ।