ଭୁବନେଶ୍ୱର: ଯେତିକି ଭୋଟ୍ ଗଣତି ଆଗକୁ ବଢି ଚାଲିଛି, ଆସନଗୁଡିକରେ ଚିତ୍ର କିଛିଟା ସ୍ପଷ୍ଟ ହେବାରେ ଲାଗିଛି । ଟ୍ରେଣ୍ଡ ଦେଖିଲେ ଶାସକ ବିଜୁ ଜନତା ଦଳକୁ ଝଟକା ଲାଗିପାରେ । ମତଦାନ କେନ୍ଦ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ଏ ଯାଏ ୯୨ ସିଟ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଏଥିରୁ ବିଜେଡି ୨୯ ସିଟ୍ ଆଗୁଆ ରହିଥିବା ବେଳେ ବିଜେପି ୪୭ ସିଟ୍ ଅଗ୍ରଣୀ ରହି ଶାସକ ଦଳକୁ ପଛରେ ପକାଇ ଦେଇଛି । କଂଗ୍ରେସ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ୧୨ ସିଟ୍ ଏବଂ ଅନ୍ୟ ୪ଟି ସିଟରେ ଆଗୁଆ ରହିଛନ୍ତି ।
ଭୋଟ୍ ଗଣତିର ଏହି ଟ୍ରେଣ୍ଡ ବିଜେଡିର ଚିନ୍ତାକୁ ବଢାଇ ଦେଇପାରେ । ତେବେ ଆଗକୁ ସିଟରେ ଏପଟ ସେପଟ ହୋଇପାରେ । କାରଣ ଏହା ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରତିଟି ବିଧାନସଭା ସିଟରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଚାଲିଛି । କିଏ କାହାକୁ ଇଞ୍ଚେ ଜାଗା ଛାଡିବାକୁ ନାରାଜ । ଯେଉଁ ଦଳର ଯିଏ ବି ଜିତନ୍ତୁ ଭୋଟ୍ ବ୍ୟବଧାନ ବହୁତ କମ ରହିବ । କିନ୍ତୁ ଭୋଟ୍ ଗଣତିର ପ୍ରାରମ୍ଭିକ ଖବର ବିଜେପି ଶିବିରକୁ ନିଶ୍ଚିତ ଭାବେ ଖୁସି ଦେବ ।
ଜାତୀୟ ଗଣମାଧ୍ୟମ କରିଥିବା ଏକଜିଟ ପୋଲରେ ବିଜେପି ଅଧିକ ସିଟ୍ ଜିତି ଭଲ କରୁଥିବା ବେଳେ ବିଜେଡିର ବହୁତ କ୍ଷତି ଘଟୁଛି । ୧୪୭ ସିଟରୁ ସରକାର ଗଢିବ ପାଇଁ ମ୍ୟାଜିକ ନମ୍ବର ହେଉଛି ୭୪ । ଗତ ନିର୍ବାଚନରେ ବିଜେଡି ୧୧୨ ସିଟ୍ ଜିତି ପଞ୍ଚମ ଥର ସରକାର ଗଢିଥିଲା । ଆଉ ବିଜେପି ୨୩ ଓ କଂଗ୍ରେସ ୯ ସିଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । କିନ୍ତୁ ଏଥର ବିଜେଡି ଓ ବିଜେପି ମଧ୍ୟରେ ମୁକାବିଲା ତୀବ୍ରତର ହେଉଛି ।