ବିଜେଡିକୁ ଡବଲ ଝଟକା, କଣ୍ଟାବାଞ୍ଜିରେ ନବୀନ ପଛୁଆ


ଭୁବନେଶ୍ୱର: ଓଡିଶାରେ ଜାରି ରହିଛି ଭୋଟ୍ ଗଣତି । ଉଭୟ ଲୋକସଭା ଓ ବିଧାନସଭାର ପ୍ରାରମ୍ଭିକ ଟ୍ରେଣ୍ଡର ଫଳାଫଳ ବିଜେଡିକୁ ଚିନ୍ତାରେ ପକାଇବା ସହ ଏହାର ନେତାଙ୍କ ମନରେ ଛନକା ପଶି ଯାଇଛି । ହାତରୁ କ୍ଷମତା ଯାଉଥିବା ସଙ୍କେତ ମିଳୁଥିବା ବେଳେ ବିଜେଡିକୁ ଡବଲ ଝଟକା ଲାଗିପାରେ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିରର କଣ୍ଟାବାଞ୍ଜି ସିଟରେ ପାଖାପାଖି ୧୧୫୮ ଭୋଟରେ ପଛରେ ଅଛନ୍ତି । ଏହି ଆସନରେ ନବୀନଙ୍କୁ କଡା ଟକ୍କର ଦେଉଛନ୍ତି ବିଜେପିର ଲକ୍ଷ୍ମଣ ବାଗ ।

ତୃତୀୟ ରାଉଣ୍ଡ ସୁଦ୍ଧା ଲକ୍ଷ୍ମଣ ବାଗ ୯୧୪୨ ଭୋଟ୍ ପାଇଥିବା ବେଳେ ନବୀନ ପଟ୍ଟନାୟକ ୭୯୮୪ ଭୋଟ୍ ପାଇଛନ୍ତି । ଏହିପରି ଲକ୍ଷ୍ମଣ ବାଗ ନବୀନଙ୍କଠୁ ୧୧୫୮ ଭୋଟରେ ଆଗୁଆ ରହିଛନ୍ତି । ଆହୁରି ୨୫ ରାଉଣ୍ଡ ଗଣତି ବାକି ରହିଛି ।

ଏଥର ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନ ହିଞ୍ଜିଳି ସହ କଣ୍ଟାବାଞ୍ଜିରେ ମଇଦାନକୁ ଓହ୍ଲାଇଥିଲେ । ହେଲେ କଣ୍ଟାବାଞ୍ଜିରେ ସେ ପଛରେ ରହିଥିବା ବେଳେ ହିଞ୍ଜିଳିରୁ ପ୍ରଥମ ରାଉଣ୍ଡ ସୁଦ୍ଧା ୧୧୬୩ ଭୋଟରେ ଆଗରେ ରହିଛନ୍ତି । ଯଦି କଣ୍ଟାବାଞ୍ଜିରୁ ନବୀନ ହାରନ୍ତି ତେବେ ବିଜେଡିକୁ ଏହା ଡବଲ ଝଟକା ଦେବ । କାରଣ ବର୍ତ୍ତମାନର ଟ୍ରେଣ୍ଡ ହିସାବରେ ସମସ୍ତ ୧୪୭ ସିଟରୁ ବିଜେପି ୭୬ ସିଟରେ ଆଗରେ ରହି ମ୍ୟାଜିକ ନମ୍ବର ଛୁଇଁ ସାରିଛି । ବିଜେଡି ୫୨ ସିଟରେ ଅଗ୍ରଣୀ ହାସଲ କରିଥିବା ବେଳେ କଂଗ୍ରେସ ୧୫ ଏବଂ ଅନ୍ୟ ୪ ସିଟରେ ଆଗୁଆ ରହିଛନ୍ତି ।

ନବୀନ ହିଞ୍ଜିଳିରୁ ନିର୍ବାଚନ ଜିତି ନିଜର ସମ୍ମାନ ରକ୍ଷା କରି ପାରିବେ । ତେବେ ଆଗକୁ ଚିତ୍ର ଆହୁରି ସ୍ପଷ୍ଟ ହେବ । କାରଣ ଲକ୍ଷ୍ମଣ ବାଗ ଓ ନବୀନଙ୍କ ମଧ୍ୟରେ ବ୍ୟବଧାନ କମ ରହିଛି । ପ୍ରଥମେ ଏଠାରେ ନବୀନ ଆଗରେ ଥିଲେ । କିନ୍ତୁ ଏବେ ପଛରେ ରହିଛନ୍ତି । ଯଦି ୨୦୧୯ର ନିର୍ବାଚନ ଫଳାଫଳକୁ ଦେଖିବା ବିଜେଡି ୫୦ରୁ ଅଧିକ ସିଟ୍ ଖସୁଛି । ଆଉ ବିଜେପିର ୫୦ ସିଟ୍ ଲାଭ ମିଳୁଛି ।