ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ଆସି ସାରିଛି । ଏନଡିଏ ପୂର୍ଣ୍ଣ ବହୁମତ ପାଇ ତୃତୀୟ ଥର ସରକାର ଗଢିବାକୁ ଯାଉଛି । ଅନ୍ୟପଟେ ଇଣ୍ଡିଆ ମେଣ୍ଟ ମଧ୍ୟ ଦମଦାର ପ୍ରତ୍ୟାବର୍ତ୍ତନ କରି ୨୩୦ରୁ ଅଧିକ ସିଟ୍ ଜିତିଛି । ତେଣୁ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ । ଏବେ ଏନଡିଏ ଜେଡିୟୁ ଓ ଟିଡିପି ଉପରେ ନିର୍ଭରଶୀଳ । ଯଦି ଏହି ଦୁଇ ଦଳ ସମର୍ଥନ ପ୍ରତ୍ୟାହାର କରନ୍ତି ତେବେ ଏନଡିଏ ସଂଖ୍ୟାଲଘୁରେ ପରିଣତ ହେବ । ଅନ୍ୟପଟେ ରାଜନୈତିକ ମହଲରେ ଏହି ଖବର ମଧ୍ୟ ଆସିଛି ଯେ, ଇଣ୍ଡିଆ ମେଣ୍ଟର ବରିଷ୍ଠ ନେତା ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କୁ ସହ ଆଲୋଚନା କରିଛନ୍ତି ।
ନୀତିଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବଡ ଅଫର ମଧ୍ୟ ଦିଆଯାଇଥିବା କୁହାଯାଉଛି । ଏହା ଚର୍ଚ୍ଚା ହେଉଛି ଯେ, ଯଦି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ କରାଯାଏ ତେବେ ଜେଡିୟୁ ଏବଂ ଟିଡିପି ଇଣ୍ଟିଆ ମେଣ୍ଟକୁ ସମର୍ଥନ ଦେବେ । କାରଣ ଦୁଇ ଦଳ ସମର୍ଥନ ଦେଲେ ଇଣ୍ଡିଆ ମେଣ୍ଟ ମ୍ୟାଜିକ ନମ୍ବର ୨୭୨ ଛୁଇଁଯିବ । ଏମିତି ସ୍ଥିତିରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଢିବ ପାରିବ ନାହିଁ । ତେବେ ଏହା ମଧ୍ୟରେ ଆଜି ଜେଡିୟୁ ପ୍ରମୁଖ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ଏନଡିଏ ନିଶ୍ଚିତ ଭାବେ ସରକାର ଗଢିବ । ଟିଡିପି ବିଜେପିକୁ ସମର୍ଥନ ଦେବ ।
ତେବେ ସମସ୍ତେ ଜାଣନ୍ତି ଯେ, ନୀତିଶ କୁମାର ପଲଟିବାରେ ଏବଂ ଦଳ ଅଦଳ ବଦଳ କରିବାରେ ମାହିର । ସେ କହିଥିବା କଥା ଏବଂ ତାଙ୍କ କାମରେ ବହୁତ ଅନ୍ତର ରହିଛି । ତେଣୁ ତାଙ୍କ କଥାକୁ ଦୃଢତାର ସହ ବିଶ୍ୱାସ କରାଯାଇ ନ ପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି । ହୋଇପାରେ ଏବେ ଜେଡିୟୁ ଓ ଟିଡିପି ସମର୍ଥନରେ ବିଜେଡି ସରକାର ଗଢିବ । କିନ୍ତୁ ଆଗାମୀ ସମୟରେ ନୀତିଶ କୁମାର ବାଜି ପଲଟାଇ ଦେଇ ପାରନ୍ତି । ସେ ଏନଡିଏରୁ ଓହରି ଇଣ୍ଡିଆ ମେଣ୍ଟରେ ମଧ୍ୟ ଯୋଗ ଦେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ସେମିତିରେ ବି ଆଜି ଗୋଟିଏ ବିମାନରେ ନୀତିଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କୁ ଦେଖିବାକୁ ମିଳିଛି । ଉଭୟ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ନୀତିଶ କୁମାର ଏନଡିଏ ବୈଠକରେ ଯୋଗ ଦେବେ ଏବଂ ତେଜସ୍ୱୀ ଯାଦବ ଇଣ୍ଡିଆ ମେଣ୍ଟର ବୈଠକରେ ସାମିଲ ହେବେ ।
ଏଥର ବିଜେପି ନିଜ ଦମରେ ସଂଖ୍ୟା ଗରିଷ୍ଠତା ହାସଲ କରି ପାରି ନ ଥିବାରୁ ସେ ଏନଡିଏର ସହଯୋଗୀ ଦଳ ଉପରେ ନିର୍ଭର କରିବାକୁ ପଡିବ । ଆଉ ଏହାର ଫାଇଦା ନେଇ ପାରନ୍ତି ନୀତିଶ ଓ ଚନ୍ଦ୍ରବାବୁ ନାଇଡୁ । କ୍ୟାବିନେଟରେ ମନ ପସନ୍ଦର ବିଭାଗ ମଧ୍ୟ ଦାବି କରି ପାରନ୍ତି । ଯଦି ଦାବି ପୂରଣ ନ ହୁଏ ତେବେ ଏମାନେ କେଉଁ ସମୟରେ ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରି ଇଣ୍ଡିଆ ମେଣ୍ଟରେ ଯୋଗ ଦେଇ ପାରନ୍ତି । ତେଣୁ କେନ୍ଦ୍ରରେ ମୋଦୀ ସରକାର କେତେ ଦିନ ତିଷ୍ଠିତ ତାହା ମଧ୍ୟ କହିବା ମୁସ୍କିଲ । ଆଉ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ।