Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

BSKY ପୂର୍ବଭଳି ଚାଲୁ ରହିଛି, ବନ୍ଦ ହୋଇନି: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ବିଜେଡି ସରକାର ଯିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) କାର୍ଡକୁ ନାନା ପ୍ରକାରର ଦ୍ୱନ୍ଦ୍ୱ ଉପୁଜିଥିଲା । ଅନେକ ମେଡିକାଲ ଏବଂ ଘରୋଇ ନର୍ସିଂ ହୋମ ରୋଗୀଙ୍କ ଚିକିତ୍ସା କଲେ ଟଙ୍କା ପାଇବେ କି ନାହିଁ ସେହି ଆଶଙ୍କାରେ ଗତକାଲି ରୋଗୀଙ୍କୁ ଫେରାଇ ଦେଉଥିବାର ଚିତ୍ର ସାମ୍ନାକୁ ଆସିଥିଲା । ତେବେ ଆଜି ବିଏସକେୱାଇ କାର୍ଡକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ବିଏସକେୱାଇ ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ ହୋଇଥିବା ଚୁକ୍ତି ବା ଏମ୍‌ଓୟୁ ବଳବତ୍ତର ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ।

ବିଭାଗ ଏହା ମଧ୍ୟ କହିଛି, ଯେଉଁମାନଙ୍କର କାର୍ଡ ଅଛି, ସେମାନଙ୍କୁ ତାଲିକାଭୁକ୍ତ ହସ୍‌ପିଟାଲଗୁଡ଼ିକ ପୂର୍ବଭଳି ଚିକିତ୍ସା ସେବା ଯୋଗାଇବେ । ଚିକିତ୍ସା ବାବଦକୁ ହସ୍‌ପିଟାଲ୍ ଗୁଡ଼ିକ ଯେଉଁ ବିଲ୍ ଦେବେ ପୂର୍ବଭଳି ବିଏସକେୱାଇ ମାଧ୍ୟମରେ ଅର୍ଥ ପାଇବେ। ରୋଗୀମାନେ ଯେପରି ଚିକିତ୍ସା ସେବା ପାଇବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ, ତାହା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ହସ୍‌ପିଟାଲ୍‌ଗୁଡ଼ିକୁ କହିଛନ୍ତି।

ରାଜ୍ୟରେ ସରକାର ବଦଳୁଥିବା ଦେଖି ବିଏସକେୱାଇ କାର୍ଡ କାମ କରିବନି କହି କିଛି ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଫେରାଇ ଦେଉଥିବା ଗତକାଲି ଅଭିଯୋଗ ହୋଇଥିଲା। ଗଣମାଧ୍ୟମରେ ଏଭଳି ଖବର ଆସିବା ପରେ ସାଧାରଣ ଲୋକଙ୍କ ମନରେ ମଧ୍ୟ ଧାରଣା ସୃଷ୍ଟି ହୋଇଯାଇଥିଲା ଯେ ବିଏସକେୱାଇ ବନ୍ଦ ହୋଇଗଲା।

ଅପରପକ୍ଷେ ଏହି ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କଡ଼ା ପ୍ରତିକ୍ରିୟା ରଖି କହିଥିଲେ, କାର୍ଡ ବନ୍ଦ ନାଁରେ ସ୍ୱାସ୍ଥ୍ୟସେବା ଅବହେଳା ସାମାଜିକ ଅପରାଧ। ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପ୍ରତି ସରକାରଙ୍କ ପ୍ରାଥମିକତା। ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। ବିଏସକେୱାଇ କାର୍ଡକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରାନଯାଉ ବୋଲି ସେ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ